ମାଟ୍ରିକ ପରୀକ୍ଷା ନେଇ ଅନିଶ୍ଚିତତା ଭିତରେ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା । କହିଲେ, ବିଳମ୍ବରେ ହେଲେ ବି କରାଯିବ ପରୀକ୍ଷା

662

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଉପରେ ପୂର୍ଣ୍ଣଚ୍ଛେଦ ଟାଣି ଆଜି ରାଜ୍ୟ ସରକାର କହିଛନ୍ତି, ମାଟ୍ରିକ ପରୀକ୍ଷା ନିଶ୍ଚିତ ହେବ, କିନ୍ତୁ ବିଳମ୍ବ ହୋଇପାରେ । ଆଉ ଗୋଟିଏ କଥା ଉପରେ ଜୋର ଦେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଯଦି କେନ୍ଦ୍ର ସରକାର ପରୀକ୍ଷା ନକରିବା ପାଇଁ ନିଷ୍ପତି ନିଅନ୍ତି, ଏହାକୁ ରାଜ୍ୟ ସରକାର ମାନି ନେଇ ପାରନ୍ତି ।

୮ ମାସ ହେଲା ସ୍କୁଲ ଗୁଡିକ ବନ୍ଦ ପଡିଛି । ପାଠପଢା ଉପରେ ଡୋରି ଲାଗିଛି । କରୋନାର ସବୁଠୁ ବଡ ପ୍ରଭାବ ପଡିବାକୁ ଯାଉଛି ମାଟ୍ରିକ ପରୀକ୍ଷା ଉପରେ । ତେବେ ସରକାର ନିଷ୍ପତି ନେଇଛନ୍ତି ଯେ, ମାଟ୍ରିକ ପରୀକ୍ଷା ବିଳମ୍ବରେ ହେଉ ପଛେ , କିନ୍ତୁ ନିଶ୍ଚିତ ହେବ ।

ଓଡିଶାରେ ପ୍ରାୟ ୬ ଲକ୍ଷ ପିଲା ମାଟ୍ରିକ ପରୀକ୍ଷା ଦେବେ । ଫର୍ମଫିଲ୍ ଅପ୍ ବନ୍ଦ ହେବା ପରେ ପରୀକ୍ଷାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ସରକାର ପରୀକ୍ଷା କରିବେ ବୋଲି ଘୋଷଣା କରିଥିଲେ ମଧ୍ୟ ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଯଦି କେନ୍ଦ୍ର ସରକାର ପରୀକ୍ଷା ନକରିବା ପାଇଁ ନିଷ୍ପତି ନିଅନ୍ତି, ତେବେ ରାଜ୍ୟ ଏହାକୁ ମାନିଯାଇପାରେ ।

ଦୁଇ ସପ୍ତାହ ତଳେ ଅଭିଭାବକ ସଂଘ, ବରିଷ୍ଠ ଶିକ୍ଷାବିଦ୍ ଓ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ମଧ୍ୟରେ ହୋଇଥିବା ବୈଠକରେ ପୁରା ମାଟ୍ରିକ ପରୀକ୍ଷା, ଅବ୍ଜେକ୍ଟିଭ୍ ଟାଇପ୍ ଅର୍ଥାତ୍ ସଂକ୍ଷିପ୍ତ ପ୍ରଶ୍ନାବଳୀ ରୂପରେ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ତେବେ ଏନେଇ କୌଣସି ନିଷ୍ପତି ହୋଇ ନାହିଁ । ସେପଟେ ଯଦି ଏପ୍ରିଲ- ମେ ମାସରେ ପରୀକ୍ଷା ହୁଏ, ତେବେ ମଧ୍ୟ ୭୦ ପ୍ରତିଶତ କୋର୍ସ କେମିତି ପଢା ହେବ ତାକୁ ବି ନେଇ ଚିନ୍ତା ରହିଛି ।