ତୁର୍କୀରେ ଭୂମିକମ୍ପ ପରର ଭୟଙ୍କର ଦୃଶ୍ୟ। ଘର ହେଲା କବର, ସହର ହୋଇଗଲା ଶ୍ମଶାନ। 

140

କନକ ବ୍ୟୁରୋ: ଯୁଆଡେ ଚାହିଁଲେ ମାଟିରେ ମୁହଁମାଡି ପଡିଥିବା ଆପାର୍ଟମେଣ୍ଟ, ଅଟ୍ଟାଳିକାର ଧ୍ୱଂସାବଶେଷ । ଅଳିଆ ଗଦା ଭଳି ଦିଶୁଥିବା ଏହି ଚିତ୍ର ତୁର୍କୀର ଚକମକ ସହରର । ରାସ୍ତାରେ ଗଦା ହୋଇପଡିଛି ଶହ ଶହ ମୃତଦେହ । ଏବେ ବି କଂକ୍ରିଟ୍ ଚାଦର ତଳେ ଫସିରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ହଜାର ହଜାର ଲୋକ । ଉଦ୍ଧାରକାରୀ ଦଳକୁ ଦେଖି କିଏ ଧ୍ୱଂସାବଶେଷ ତଳୁ ହାତ ହଲାଇ ପ୍ରାଣଭିକ୍ଷା କରୁଛି ତ କିଏ ଥମିଯାଉଥିବା ସ୍ୱରରେ ବଞ୍ଚାଇବାକୁ ଆକୁଳ ଆବେଦନ କରୁଛି । ତୁର୍କୀ ଓ ସିରିୟାରୁ ଆସିଥିବା ଭୂକମ୍ପ ପରର ଛାତିଥରା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି ।

ଭଙ୍ଗା ବିଲ୍ଡିଂର ସ୍ଲାବ ତଳେ ଚାପି ହୋଇ ରହିଛି ୭ ବର୍ଷର ଝିଅ ଓ ତା କୁନି ଭାଇ । ଭାଇକୁ ସୁରକ୍ଷା ଦେବାକୁ ଯାଇ ନାବାଳିକାଟି ନିଜ ହାତ କହୁଣୀରେ ସ୍ଲାବକୁ ଅଟକାଇ ରଖିଛି । ଦୀର୍ଘ ୧୭ ଘଣ୍ଟାର ଯନ୍ତ୍ରଣା ସହିବା ପରେ ସେଠାରେ ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ । ଆଉ ସେମାନଙ୍କୁ ଦେଖି ଭୟଭରା ଆଖିରେ ଝିଅଟି କହିଥିଲା, ଆମକୁ ବଞ୍ଚାଇଦିଅ, ଯାହା କହିବ ଆମେ କରିବୁ, ସାରା ଜୀବନ ଆପଣଙ୍କ ଗୁଲାମ ହୋଇ ରହିବୁ । କୁନି ଝିଅର ଏହି କେଇ ପଦ କଥା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି ।

ଧ୍ୱଂସସ୍ତୁପରୁ ଜୀବିତ ଉଦ୍ଧାର ହୋଇଛି ଏହି ନବଜାତକ ଶିଶୁ । ହେଲେ ଉଦ୍ଧାରକାରୀ ଟିମ୍ ତାର ବାପା-ମାକୁ ବଞ୍ଚାଇ ପାରିନାହାନ୍ତି । ଉଦ୍ଧାର କାମ ଚାଲିଥିବା ବେଳେ ଭଙ୍ଗା କଂକ୍ରିଟ ତଳୁ କଅଁଳ ଛୁଆର କାନ୍ଦ ଶୁଣି ସ୍ଲାବ ଆଡେଇ ସେଠାରୁ ନବଜାତକକୁ ଉଦ୍ଧାର କରାଯାଇଛି ।

କଂକ୍ରିଟ ଚାଦରର ସଂକୀର୍ଣ୍ଣ ଫାଙ୍କରେ ପଶି ନାବାଳକର ଜୀବନ ବଂଚାଇଛନ୍ତି ଉଦ୍ଧାରକାରୀ ଦଳ । ସେହିପରି କ୍ରଂକ୍ରିଟ ଫାସରେ ଫସିଥିବା ଏହି ନାବାଳିକାଟି  ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଛି । ଏପଟେ ଭଙ୍ଗା କୋଠା ତଳେ ଫସିଥିବା ପୁଅକୁ ଫେରିପାଇବା ପରେ ପୁଅକୁ ଧରି କାନ୍ଦି କାନ୍ଦି ଦୌଡୁଛନ୍ତି ବାପା । ଛାତିକୁ ଥରାଇ ଦେଲା ଭଳି ଅନେକ ଦୃଶ୍ୟ ତୁର୍କୀ ଓ ସିରିଆରୁ ଆସିଛି । ତୁର୍କୀ ଓ ସିିରିୟାରେ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୧୧ହଜାରରୁ ଅଧିକ ମୃତ୍ୟ ହୋଇଥିବା ସୂଚନା ମିଳିଛି ।

ଭୂକମ୍ପ ଜୋନରେ ଥିବା ତୁର୍କୀ ଓ ସିରିୟାରେ ଭୂମିକମ୍ପର ଭୟବହତା ଦେଖି ଭାରତର ଲୋକ ମଧ୍ୟ ଡରିଛନ୍ତି । ଏପଟେ ଭାରତର କିଛି ଅଞ୍ଚଳ ମଧ୍ୟ ଭୂକମ୍ପ ଜୋନରେ ଥିବା କହୁଛନ୍ତି ଭୂତତ୍ୱବିତ୍ । ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡର ତଥ୍ୟ ଅନୁସାରେ ଭାରତକୁ ୫ଟି ଭୂକମ୍ପ ଜୋନ୍ରେ ଭାଗ କରାଯାଇଛି । ହିମାଳୟର ପାର୍ବତ୍ୟ ଅଞ୍ଚଳ ସମେତ ବିହାର. ଗୁଜୁରାଟ, ଆସାମ, ମଣିପୁର, ନାଗାଲାଣ୍ଡ, ଜାମ୍ମୁକାଶ୍ମୀର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଭୂକମ୍ପ ଜୋନରେ ରହିଛି । ଏପଟେ ଓଡିଶାର କିଛି ଅଞ୍ଚଳ ଭୂକମ୍ପର ଦ୍ୱିତୀୟ ଓ ତୃତୀୟ ଜୋନରେ ରହିଛି ।

ଓଡ଼ିଶାର ସବୁଠୁ ବିପଦଜନ୍ନକ ଜୋନରେ ରହିଛି- ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା । ସେହିପରି ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ବରଗଡ. ସୁନ୍ଦରଗଡ ଏବଂ ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲାର ଅଳ୍ପ କିଛି ସ୍ଥାନ ଭୂମିକମ୍ପ ଜୋନ- ତୃତୀୟରେ ରହିଛି ।

ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଥିବା ଯୋଶୀମଠ ସହର ଓ ଏହାର ଆଖପାଖ ଅଞ୍ଚଳରେ ଘର କାନ୍ଥ ଫାଟିବା ଓ ରାସ୍ତା ଫାଟିବା ଘଟଣା କେହି ଭୁଲିନଥିବେ । ଭୂକମ୍ପର ଜୋନ-୫ରେ ଏହି ଅଞ୍ଚଳ ଥିବାରୁ ସେଠାରେ ଏବେଠୁ ସମସ୍ୟା ଦେଖା ଦେଲାଣି ।