କରୋନାର ପ୍ରଭାବରେ ଗଲାଣି ରୋଜଗାର । କେନ୍ଦୁଝରର ଟେରାକୋଟା ଶିଳ୍ପ ଗଭୀର ପ୍ରଭାବିତ । ସାମଗ୍ରୀ ବିକ୍ରିି ନାହିଁ, ହାତବାନ୍ଧି ବସିଛନ୍ତି ଟେରାକୋଟା କାରିଗର

82

କନକ ବ୍ୟୁରୋ: କରୋନାର ପ୍ରଭାବ ରେ ସାରା ବିଶ୍ୱର ଅର୍ଥନିତୀକୁ ଦୋହଳାଇ ଦେଇଛି । କୋଟି କୋଟି ଯୁବକ ରୋଜଗାର ହରାଇ ଜୀବନ ଜୀବିକା ସହ ସଂର୍ଘଷ କରିଚାଲିଛନ୍ତି । ବିଶେଷ କରି ଘରୋଇ କମ୍ପାନୀ ରେ ଛୋଟ ଛୋଟ ଚାକିରୀ କରିଥିବା ବ୍ୟକ୍ତି ଏବଂ କ୍ଷୁଦ୍ର ଶିଳ୍ପ ବ୍ୟବଦାୟୀ ବହୁ ପରିମାଣରେ ପ୍ରଭାବିତ ହୋଇଛନ୍ତି । କରୋନା କିପରି କ୍ଷୁଦ୍ର ଶିଳ୍ପକୁ ଧୂଳିସାତ କରିଦେଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝରର ଟେରାକୋଟା ଶିଳ୍ପରେ ।

କେନ୍ଦୁଝରର ଟେରାକୋଟା ଶିଳ୍ପ ସାରା ଓଡିଶା କାହିଁକି ଦେଶରେ ବିଭିନ୍ନ ଭାଗରେ ମଧ୍ୟ ବେଶ ପରିଚିତ । କେନ୍ଦୁଝର ଘଟଗାଁ ବ୍ଲକ ହଳଧରପୁର ଏବଂ ବାଟ ହରିଚନ୍ଦପୁର ଗାଁର କାରିଗର ଟେରାକୋଟା ଶିଳ୍ପ ମାଧ୍ୟମରେ ରୋଜଗାର କରିଥାନ୍ତି । ଘଟଗାଁ ମା’ ତାରିଣୀ ପୀଠରୁ କେନ୍ଦୁଝର ଯିବା ବାଟରେ ଜାତୀୟ ରାଜପଥ ପାଶ୍ୱର୍ରେ ଏହି ଶିଳ୍ପର ବିଭିନ୍ନ କଳାକୃତି ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । କେନ୍ଦୁଝର ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକଙ୍କର ବିଶେଷ ରୁଚି ଥାଏ ଏହି ଟୋରାକୋଟା କାରୁକାର୍ଯ୍ୟ ଉପରେ । ଏହା ଟେରାକୋଟା କାରିଗରଙ୍କୁ ରୋଜଗାର ଯୋଗାଉଥିଲା । ଏହା ସହ ସରକାରଙ୍କ ଓରମାସ, ଆଦିବାସୀ ଓ ସଂସ୍କୃତି ବିଭାଗ ଦ୍ୱାରା ବିଭିନ୍ନ ମେଳାରେ ଟେରୋକୋଟା ସାମଗ୍ରୀ ବିକ୍ରିର ସୁବିଧା କରାଯାଇଥିଲା । ହେଲେ କରୋନା ସ୍ଥିତି ସବୁ ବିଗାଡ଼ି ଦେଇଛି ।

କାରିଗର ଟେରାକୋଟାର ସାମଗ୍ରୀ ତ ଗଢ଼ୁଛି, ହେଲେ ବିକିବ କେଉଁଠି, ଗ୍ରାହକ କାହାନ୍ତି । ଫଳରେ ରୋଜଗାର ଅଭାବରେ ହାତବାନ୍ଧି ବସିଛନ୍ତି ଏହି ସବୁ ଟେରୋକୋଟା କାରିଗର ମାନେ । ଆଉ ଏହି କ୍ଷୁଦ୍ର ଶିଳ୍ପ ଉପରେ ନିର୍ଭର କରି ଚଳୁଥିବା ପରିବାର ଗୁଡ଼ିକ ଏବେ ଜୀବନ ଜୀବିକା ସହ ସଂର୍ଘଷ କରୁଛନ୍ତି । ସରକାର ଟେରାକୋଟା ବ୍ୟସାୟୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ଦାବି ହୋଇଛି ।