କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ସାକାର କରିବା ପାଇଁ ଆଇନ କମିସନ ପ୍ରୟାସ ଜାରି ରଖିଛି । ଯଦିଓ ଏହା ୨୦୨୪ ପୂର୍ବରୁ ସମ୍ଭବ ହୋଇପାରିବ ନାହିଁ କିନ୍ତୁ ୨୦୨୯ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଯଥାସମ୍ଭବ ପ୍ରୟାସ ଚାଲିଛି ବୋଲି ଜଣାପଡ଼ିଛି । ଆଇନ କମିସନ ଏବେର ବିଧାନସଭାମାନଙ୍କର କାର୍ଯ୍ୟକାଳ ବଢ଼ାଇ କିମ୍ବା କମାଇ ୨୦୨୯ରେ ଲୋକସଭା ନିର୍ବାଚନ ସହିତ ସମସ୍ତ ବିଧାନସଭା ନିର୍ବାଚନ କରାଇବା ଫର୍ମୁଲାରେ କାମ କରୁଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସରକାର ଲୋକସଭା, ରାଜ୍ୟ ବିଧାନସଭା ଏବଂ ପୌର ନିର୍ବାଚନ ଏକସଙ୍ଗରେ କରାଇବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ଏବଂ କମିଟିର ପ୍ରଥମ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ଏଭଳି ସ୍ଥିତିରେ ଆଇନ କମିସନ ଲୋକସଭା ଏବଂ ରାଜ୍ୟମାନଙ୍କ ପାଇଁ ଏବେର ସୁପାରିସ ସହିତ ସ୍ଥାନୀୟ ପୌର ନିର୍ବାଚନକୁ ମଧ୍ୟ ସାମିଲ କରିବା ଦିଗରେ କାମ କରୁଥିବା ଜଣାପଡ଼ିଛି । ଏଥିପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରସ୍ତତ ହେବ ଏବଂ ତଦନୁଯାୟୀ ସୁପାରିସ ପ୍ରଦାନ କରିବେ ।
୨୦୨୯ରେ ରାଜ୍ୟମାନଙ୍କର ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ଏକ ସଙ୍ଗରେ କରାଇବା ଯୋଜନାକୁ ସୁନିଶ୍ଚିତ କରିବା ପାଇଁ ଜଷ୍ଟିସ ଋତୁରାଜ ଅୱସ୍ଥିଙ୍କ ନେତୃତ୍ୱରେ ଗଠିତ କମିସନ ବିଧାନସଭାମାନଙ୍କ କାର୍ଯ୍ୟକାଳ ବଢ଼ାଇବା କିମ୍ବା କମାଇବା ପାଇଁ ପରାମର୍ଶ ଦେବାକୁ ଯୋଜନା କରୁଛନ୍ତି । ଏହା ସୁନିଶ୍ଚିତ କରିବା ପାଇଁ ସର୍ବସମ୍ମତିରେ ଗ୍ରହଣୀୟ ହେବାଭଳି ପ୍ରକ୍ରିୟା ପ୍ରସ୍ତୁତ କରାଯାଉଛି । ଏ କ୍ଷେତ୍ରରେ ଭୋଟର୍ ତାଲିକା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ଏ ବାବଦରେ ବିଭିନ୍ନ ରାଜନୈତିକ ଦଳମାନଙ୍କର ପରାମର୍ଶ ଲୋଡ଼ିବେ ।