କନକ ବ୍ୟୁରୋ: ସୁରେଶ ମହାପାତ୍ରଙ୍କ ପରେ ରାଜ୍ୟରେ କିଏ ହେବ ପରବର୍ତୀ ମୁଖ୍ୟ ଶାସନ ସଚିବ, ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଥିଲା । ନୂଆ ମୁହଁକୁ ସୁଯୋଗ ଦେବେ ନା ସୁରେଶଙ୍କ ଉପରେ ପୁଣି ଭରସା କରିବେ । ଆଉ ଶେଷରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳକୁ ଦ୍ୱିତୀୟ ଥର ପାଇଁ ଆଉ ୬ ମାସ ବୃଦ୍ଧି କରିଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ଏହା ଉପରେ ବି ମୋହର ମାରିଛନ୍ତି । ଆଉ ଚିଠି ଅନୁସାରେ, ସେପ୍ଟେମ୍ବର ୧ରୁ ୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବଢ଼ିଛି । ଏହି ମାସ ଶେଷରେ ତାଙ୍କ କାର୍ଯ୍ୟକାଳ ସରୁଥିଲା । ପୂର୍ବରୁ ଗତ ଫେବ୍ରୁଆରୀରେ ପ୍ରଶାସନିକ କାର୍ଯ୍ୟରୁ ଅବସର ନେଇଥାନ୍ତେ ୧୯୮୬ ବ୍ୟାଚ୍ର ଏହି ଆଇଏଏସ ଅଫିସର ।
ଅନେକ ଦକ୍ଷ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଥିବା ସତ୍ୱେ କାହିଁକି ଦ୍ୱିତୀୟ ଥର ଲାଗି ସୁରେଶଙ୍କ ଉପରେ ଅଧିକ ଆସ୍ଥାପ୍ରକଟ କଲେ ତାକୁ ନେଇ ପାୱାର କରିଡରରେ ଜୋରଦାର ହୋଇଛି ଚର୍ଚ୍ଚା । କୁହାଯାଉଛି, ଯେଉଁମାନେ ଏହି ପଦବୀ ପାଇଁ ହକଦାର ଥିଲେ ସେମାନଙ୍କ ଉପରେ ସରକାରଙ୍କ ଉପରେ ଭରସା ଓ ବିଶ୍ୱାସ ନଥିଲା । ତେଣୁ ସୁରେଶଙ୍କୁ ରିପିଟ କରାଯାଇଛି ।
ଏବେ ଆସନ୍ତୁ ଦେଖିବା ମୁଖ୍ୟଶାସନ ସଚିବ ରେସରେ କିଏ କିଏ ଥିଲେ । ସବୁଠାରୁ ଆଗରେ ଥିଲେ ଉନ୍ନୟନ କମିସନର ତଥା ୧୯୮୯ ବ୍ୟାଚର ପ୍ରଦୀପ ଜେନା । ତେବେ ଶେଷରେ ତାଙ୍କୁ ନିରାଶ ହେବାକୁ ପଡିଛି । ୧୯୮୭ ବ୍ୟାଚ୍ର ରାଜେଶ ବର୍ମାଙ୍କୁ ଓଡିଶାକୁ ଆଣିବାକୁ ରାଜ୍ୟ ସରକାର ଚିନ୍ତା କରିଥିଲେ । କିନ୍ତୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଚର୍ଚ୍ଚା ହେଉଛି । ସେ ରାଷ୍ଟ୍ରପତିଙ୍କ ସଚିବ ହେବା ପରେ ସରକାର ସୁରେଶ ମହାପାତ୍ରଙ୍କ ଉପରେ ଅଧିକ ଭରସା କରିଛନ୍ତି ।
Follow Us