ଅପେକ୍ଷାର ହେଲା ଅନ୍ତ…ଭକ୍ତ କରିବେ କାଳିଆ ଦର୍ଶନ: ୨୩ରୁ ଖୋଲିବ ଶ୍ରୀମନ୍ଦିର ସମେତ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ, କୋଭିଡ୍ କଟକଣା ମାନି ଦର୍ଶନ କରିବେ ଶ୍ରଦ୍ଧାଳୁ

185

କନକ ବ୍ୟୁରୋ : ଡିସେମ୍ବର ୨୩ରୁ ପୁରୀରେ ଖୋଲିବ ସମସ୍ତ ମନ୍ଦିର । ଶ୍ରୀମନ୍ଦିର ସମେତ ଜିଳ୍ଳାର ସମସ୍ତ ର୍ଧମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । କୋଭିଡ କଟକଣା ମାନି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିବେ । ଶ୍ରୀମନ୍ଦିରରେ ପ୍ରଥମେ ପୁରୀବାସୀଙ୍କୁ ଅଗ୍ରାଧୀକାର ଦିଆଯିବ । ମନ୍ଦିର ଖୋଲିବା ପରେ ୨୩ରୁ ୩୧ ତାରିଖ ମଧ୍ୟରେ ପୁରୀବାସୀଙ୍କ ଅଗ୍ରାଧିକାର ଦିଆଯିବ ମହାପ୍ରଭୁଙ୍କ ଦର୍ଶନ ପାଇଁ । ବିଭିନ୍ନ ପର୍ଯ୍ୟାୟରେ ୱାର୍ଡବାସୀଙ୍କୁ ଦର୍ଶନ ସୁବିଧା ମିଳିବ ।

କେଉଁ ତାରିଖରେ କେଉଁ ୱାର୍ଡବାସୀ ଦର୍ଶନ କରିବେ ତାହା ସ୍ଥିର କରାଯିବ । ୱାର୍ଡ ୱରୀ ହେବ ଟୋକନ ବ୍ୟବସ୍ଥା । ସ୍ୱଚ୍ଚସାର୍ଥୀ ପ୍ରତି ୱାର୍ଡାରେ ଘର ଘର ବୁଲି ଭକ୍ତଙ୍କ ତାଲିକା କରିବା ସହ ଟୋକନ ବାଂଟିବେ । ଜାନୁଆରୀ ୧ ଓ ୨ରେ ନୂଆବର୍ଷ ପାଇଁ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରଖାଯିବ । ଜାନୁଆରୀ ୩ ତାରିଖରୁ ସମସ୍ତ ପାଇଁ ମନ୍ଦିର ଖୋଲିବ । ତେବେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ କରୋନାର ନେଗେଟିଭ ରିପୋର୍ଟ ଥିବା ଦରକାର । କେନ୍ଦ୍ର ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ ବୟସର ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଛି ।

ସ୍ଥିତି ଭଲ ରହିଲେ, ଦ୍ବିତୀୟ ସପ୍ତାହରୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଉତ୍ସବ ଆଦିରେ ନିର୍ଦ୍ଦିଷ୍ଟ କଟକଣା ରହିବ। ନୀତିକାନ୍ତିକୁ ପ୍ରଭାବିତ କରିବା ଭଳି କୌଣସି ନିଷ୍ପତ୍ତି ନିଆଯିବ ନାହିଁ। ତେବେ କୋଭିଡ୍‌-୧୯ ନିୟମ କଡ଼ାକଡ଼ି ଅନୁପାଳନ ହେବ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତଙ୍କ ପାଇଁ ମାସ୍କ, ସାନିଟାଇଜର୍‌, ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ କରାଯିବ। ଚାରିଦ୍ବାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାନିଟାଇଜର ବ୍ୟବସ୍ଥା କରାଯିବ। ଏହାଛଡ଼ା ପ୍ରବେଶ ପୂର୍ବରୁ ଭକ୍ତମାନଙ୍କ ପାଇଁ କୋଭିଡ୍‌-୧୯ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୪୮ ଘଣ୍ଟା ଭିତରର ନେଗେଟିଭ୍‌ ରିପୋର୍ଟ ଦେଖାଇ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ। ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ଅବା ଆର୍‌ଟିପିସିଆର୍‌, ଯେ କୌଣସି ରିପୋର୍ଟ ଦେଖାଇ ଭକ୍ତ ଶ୍ରୀମନ୍ଦିରକୁ ଯାଇପାରିବେ।