ଡିସେମ୍ବର ତୃତୀୟ ସପ୍ତାହରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର । ଶନିବାର ଓ ରବିବାର ଦର୍ଶନ ବନ୍ଦ ରଖିବାକୁ ପ୍ରସ୍ତାବରେ ଉଲ୍ଲେଖ

290

କନକ ବ୍ୟୁରୋ : ଶ୍ରଦ୍ଧାଳୁଙ୍କ ପ୍ରତୀକ୍ଷାର ସମୟ ସରି ଆସୁଛି । ଶ୍ରୀମନ୍ଦିର ଭିତରେ ବଡ଼ ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ପାଇପାରନ୍ତି ଭକ୍ତ । କାରଣ, ଆସନ୍ତାମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର । ଶ୍ରୀମନ୍ଦିରର ଖୋଲିବାକୁ ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଆଉ ରାଜ୍ୟ ସରକାର ଶ୍ରୀମନ୍ଦିର ଖୋଲିବାକୁ ସବୁଜ ସଂକେତ ଦେବା ପରେ ଭକ୍ତଙ୍କ ପାଇଁ ଫିଟି ଯିବ ଶ୍ରୀମନ୍ଦିରର ଦ୍ୱାର ।

ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ-ଶନିବାର ଓ ରବିବାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଯାନିଯାତ୍ରା ଓ ବିଭିନ୍ନ ବେଶ ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ବଡ଼ କଥା ହେଉଛି ପ୍ରାୟ ୮ ମାସ ଧରି ଶ୍ରୀମନ୍ଦିର ବନ୍ଦ ରହିବା କାରଣରୁ, ଶ୍ରୀମନ୍ଦିରର ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହୋଇଛି । ଆୟ ତୁଳନାରେ ବୟ ବଢ଼ିଛି । ଆଉ ଏଭଳି ସ୍ଥିତିରେ ପରିଚାଳନା କମିଟି ବୈଠକରେ ମନ୍ଦିର ଖୋଲିବା ସମ୍ପର୍କରେ ପୂର୍ବରୁ ଇସାରା ଦେଇଥିଲେ ଶ୍ରୀମନ୍ଦିର ପ୍ରଶାସକ ।

ଶ୍ରୀମନ୍ଦିର ଖୋଲିବା ନେଇ ଏକ ପ୍ରକାର ନିଷ୍ପତି ହୋଇସାରିଥିବା ବେଳେ, ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି । ଆଉ ଏହାରି ଭିତରେ ପୁରୀ ଜିଲ୍ଲାପାଳ, ଏସ୍ପି ଏବଂ ଶ୍ରୀମନ୍ଦିର ପ୍ରଶାସକଙ୍କୁ ନେଇ ଏକ କମିଟି ଗଠନ ହୋଇଛି । ଯେଉଁ କମିଟି ମନ୍ଦିର ଖୋଲିବା ନେଇ ଏସ୍ଓପି ବା ମାର୍ଗଦର୍ଶିକ ପ୍ରସ୍ତୁତ କରିବ । ଆଉ ଏହି ମାର୍ଗଦର୍ଶିକା ଅନୁସାରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ରହିବ । ଆଉ ଏସବୁ ଭିତରେ ଚୁଡାନ୍ତ ନିଷ୍ପତିକୁ, ଯେତେବେଳେ ବିଧିବଦ୍ଧ ଭାବେ ଶ୍ରୀମନ୍ଦିର ଖୋଲିବା ନେଇ ତାରିଖ ଘୋଷଣା ହେବ ।