କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଭକ୍ତଙ୍କୁ କିଭଳି ଉଚିତ୍ ମୂଲ୍ୟରେ ମହାପ୍ରସାଦ (ଅବଢା) ମିଳିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ନିଯୋଗର ଏକ ମିଳିତ ବୈଠକରେ ନିଷ୍ପତ୍ତି ହୋଇଛି। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଉପସ୍ଥିତିରେ ହୋଇଥିବା ନିଷ୍ପତ୍ତି ମୁତାବକ, ଏଣିକି ସୁଆରମାନେ ମନ ଇଚ୍ଛା ଦର ନେଇ ପାରିବେ ନାହିଁ। ଜଣେ ଭକ୍ତ ଚାହିଁଲେ ଥାଳି ଦରରେ ଅବଢ଼ା କିଣି ସେବନ କରିପାରିବେ। ଥାଳି ଦର ୭୦ ଟଙ୍କାରୁ ଆରମ୍ଭ ହେବ। ସେହିଭଳି ୮୦ ଟଙ୍କା ଓ ୧୨୦ ଟଙ୍କା ଦୁଇପ୍ରକାର ଦର ରହିବ। କେଉଁ ଥାଳିରେ କଣ ମହାପ୍ରସାଦ ରହିବ ତାର ତାଲିକା ରହିବ।
ସେହିଭଳି କୁଡୁଆ ଫଟୋ ସହିତ ଦର ତାଲିକା ଆନନ୍ଦ ବଜାର ସମେତ ବାଇଶି ପାହାଚ, ଶ୍ରୀମନ୍ଦିର ଚାରିଦ୍ୱାରରେ ଲଗାଯିବ। ଆନନ୍ଦବଜାରରେ ସୁଆରମାନେ ମନଇଛା ଜରିପାଲ ଟାଣିପାରିବେ ନାହିଁ। ଏହାଦ୍ୱାରା ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବାରୁ ଆନନ୍ଦବଜାର ଭିତରେ ମନ୍ଦିର ପ୍ରଶାସନ ପକ୍ଷରୁ ୪୦ଟି ସେଡ୍ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି।
ବୈଠକରେ ରୋଷଘର ଚୁଲା ଲାଇସେନ୍ସ ବଦଳରେ ସୁଆରମାନଙ୍କୁ ଚୁଲା ଅଧିକାର କଥା ଉଠିଥିଲା। ସୁଆରଙ୍କୁ ଚୁଲା ଅଧିକାର ବର୍ଷିକିଆ ଭିତ୍ତିରେ ଦିଆଯିବ। କୌଣସି ଅଣସେବକ ଯେମିତି ମନ୍ଦିର ଭିତରେ ମହାପ୍ରସାଦ ବିକ୍ରି କରିପାରିବେ ନାହିଁ ସେ ନେଇ କଟକଣା ଜାରି କରାଯିବ। ବାସି ମହାପ୍ରସାଦ ବିକ୍ରି ଉପରେ କଡା କଟକଣା ଜାରି ହେବ ଏବଂ ମହାପ୍ରସାଦର ଗୁଣବତ୍ତା ପ୍ରତି ଧ୍ୟାନ ଦିଆଯିବ ବୋଲି ସ୍ଥିର ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/ABHADA.jpg)