୨୪ ଘଣ୍ଟାରେ ସ୍ୱାଭାବିକ ହେବ ତାପମାତ୍ରା : ଥଣ୍ଡା କମିବ, ତାପମାତ୍ରା ବଢ଼ିବ

165

କନକ ବ୍ୟୁରୋ: ରାଜ୍ୟରେ ଲଗାତାର ୫ ଦିନ ଧରି ତାପମାତ୍ରା ଖସିବାରେ ଲାଗିଥିବା ବେଳେ ଫେବ୍ରୁଆରିର ଶୀତ ଏବେଠାରୁ ଅନୁଭୂତ ହେଉଥିଲା। କିଛି ସ୍ଥାନର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବା ଓ କେତେକ ସ୍ଥାନର ପାରଦ ୫ ଡିଗ୍ରି ପର୍ଯ୍ୟନ୍ତ ଖସି ଏବେଠାରୁ ଶୀତ ଡରାଉଥିଲା । କିନ୍ତୁ ଆସନ୍ତା ୨୪ ଘଣ୍ଟାରେ ପୁଣି ସ୍ବାଭାବିକ ସ୍ତରକୁ ଆସିଯିବ ରାଜ୍ୟର ତାପମାତ୍ରା । ରାଜ୍ୟକୁ ପୂର୍ବ ତରଙ୍ଗାୟିତ ପବନର ପ୍ରବାହ ଫଳରେ ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅଧିକାଂଶ ସ୍ଥାନରେ ତାପମାତ୍ରା ଏବେ ୩/୪ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି । କିଛି ସ୍ଥାନରେ ପାରଦସ୍ତର ୫ ଡିଗ୍ରି ପର୍ଯ୍ୟନ୍ତ ବି ଖସିଛି । ଏବେ ପୂର୍ବ ତରଙ୍ଗାୟିତ ପବନର ପ୍ରଭାବରେ ଆସନ୍ତା ୨/୩ ଦିନରେ ତାପମାତ୍ରା ୩/୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଟ୍ରଫ୍‌ ଲାଇନ୍‌ ରହିଛି । ଏହାର ପ୍ରଭାବରେ ପୂର୍ବ ତରଙ୍ଗାୟିତ ପବନ ଓଡ଼ିଶାକୁ ବିଶେଷ କରି ଉପକୂଳ ଓଡ଼ିଶାକୁ ପ୍ରବାହିତ ହେବ । ଫଳରେ ଆଜି ରାତିରୁ ପୁରୀ, ଗଜପତି ଓ ଗଞ୍ଜାମର କିଛି କିଛି ସ୍ଥାନରେ ହାଲ୍‌କା ବର୍ଷା ହୋଇଯାଇଛି ।  ବୁଧବାର ଦିନ ଦକ୍ଷିଣ ଉପକୂଳର ଜିଲ୍ଲାଗୁଡ଼ିକରେ ଯଥା, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୧୨ ତାରିଖ ଦିନ ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁରର କେତେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ବର୍ଷା ହୋଇପାରେ। ଅବଶିଷ୍ଟ ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିବ ।