ସରକାରୀ ଗାଡିରେ ବାଲି ମାଫିଆଙ୍କ ସହ ବୁଲିଲେ ତହସିଲଦାର: ଘଟଣା ପ୍ରଘଟ ହେବା ପରେ ମାଡ ଖାଇଲେ ତହସିଲଦାରଙ୍କ ଡ୍ରାଇଭର

414

କନକ ବ୍ୟୁରୋ: ସରକାରୀ ଗାଡିରେ ବାଲିମାଫିଆଙ୍କ ସହ ବୁଲି ଅଡୁଆରେ ତହସିଲଦାର । ସରକାରୀ ଗାଡ଼ିରେ ବାଲିମାଫିଆଙ୍କ ସହ ଓଡିଶା ଭ୍ରମଣ କରି ଅଡୁଆରେ ବଡ଼ ସାହି ତହସିଲଦାର । ଘଟଣା ପ୍ରଘଟ ହେବା ପରେ ଧରା ପଡିଯିବା ଭୟରେ ତହସିଲଦାରଙ୍କ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବାଲି ମାଫିଆ । ଡ୍ରାଇଭର ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ଥାନାରେ ମାମଲା ହୋଇଛି । ଘଟଣାକୁ ଚାପି ଦେବା ପାଇଁ ଚାଲିଛି ଜୋରଦାର ପ୍ରୟାସ ।

ବାରିପଦା ଡାକ୍ତରଖାନା ବେଡରେ ପଡି ଏବେ ଚିକିତ୍ସିତ ହେଉଛନ୍ତି ମୟୂରଭଂଜ ଜିଲ୍ଲା ବଡସାହି ତହସିଲଦାର ମମତାଜ୍ ମହାରଣାଙ୍କ ଡ୍ରାଇଭର ଦିଗାମ ମହାନ୍ତ । ଦିଗାମ୍ ପ୍ରବଳ ମାଡ ଖାଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏ କାହିଁକି ମାଡ ଖାଇଲେ ତାହା ଶୁଣିଲେ, ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଗତ ୭ ତାରିଖରେ ବଡସାହି ତହସିଲଦାର ମମତାଜ୍ ମହାରଣା ଓ ସେଠାରେ ଗାଡି ଲଗାଇଥିବା ତଥା ବାଲି ବେପାରୀ ଶ୍ରୀକାନ୍ତ ଦାସ ବୁଲିବା ପାଇଁ ଭୁବନେଶ୍ୱର ଆସିଥିଲେ । ନନ୍ଦନକାନନ ଓ ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିଲେ । କିନ୍ତୁ ଏକଥା ଚାରିଆଡେ ପ୍ରଘଟ ହୋଇଗଲା । ବାଲିମାଫିଆ ସହ ତହସିଲଦାର କାହିଁକି ବୁଲୁଥିଲେ, ଏ ପ୍ରଶ୍ନ ଉଠିଲା । ଏକଥା ତହସିଲଦାର ଓ ସେହି ବାଲି ଓ ମୋରମ ବେପାରୀଙ୍କ କାନକୁ ଯିବା ପରେ ସେମାନେ ଡ୍ରାଇଭରଙ୍କୁ ପ୍ରବଳ ବାଡେଇ ଥିଲେ । ତାଙ୍କର ସନ୍ଦେହ ହୋଇଥିଲା ଯେ, ଡ୍ରାଇଭର ହିଁ ଏକଥା ପ୍ରଘଟ କରିଛନ୍ତି ।

ବାଲି ଓ ମୋରୋମ ଖାଦାନରୁ ଚୋରାଚାଲାଣ ପାଇଁ ମାଫିଆଙ୍କୁ ସହଯୋଗ କରି ପୂର୍ବରୁ ବିବାଦରେ ରହିଛନ୍ତି ବଡସାହି ତହସିଲଦାର ମମତାଜ୍ । ଏବେ ଆଉ ଏକ ବିବାଦୀୟ ଘଟଣାରେ ଛନ୍ଦି ହୋଇପଡିଛନ୍ତି । ତହସିଲଦାର କାହା ସହ ବୁଲିଲେ ସେଥିରେ କିଛି ଅସୁବିଧା ନାହିଁ, କିନ୍ତୁ ସରକାରୀ ଗାଡିରେ ପୁଣି ବାଲି ମାଫିଆଙ୍କ ସହ ବୁଲିବା ଓ ତାଙ୍କ ଡ୍ରାଇଭରଙ୍କୁ ଆକ୍ରମଣ ଘଟଣାରେ ଚୁପ୍ ରହିବା ଚର୍ଚ୍ଚାର ବିଷୟ ହୋଇଛି ।