କନକ ବ୍ୟୁରୋ: ରାଜ୍ୟର ପ୍ରାଥମିକ ସ୍କୁଲରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସୃଷ୍ଟି ହୋଇଛି ବିବାଦ । ଶିକ୍ଷକମାନଙ୍କୁ ନୂଆ ଢ଼ଙ୍ଗରେ ଠିକା ନିଯୁକ୍ତି ଦିଆଯିବାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିରୋଧ କରିଛି ଶିକ୍ଷକ ସଂଗଠନ । ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ଏହି ନୋଟିଫିକେସନକୁ ପ୍ରତ୍ୟାହାର କରି ସ୍ଥାୟୀ ନିଯୁକ୍ତି ଦେବା ପାଇଁ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି କରିଛି ବିଜେପି ।

Advertisment

ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ମାତ୍ର ବର୍ଷେ ନପୂରୁଣୁ ଏହାକୁ ଢ଼ୋକି ଦେଇଛନ୍ତି ନିଜେ ରାଜ୍ୟ ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଘୋଷଣାକୁ ଏଡାଇ ଯାଇ ନୂଆ ଢ଼ଙ୍ଗରେ ଠିକା ନିଯୁକ୍ତି ଦେବାକୁ ବିଜ୍ଞପ୍ତି ଜାରି କରିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦ ହଜାର କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କିନ୍ତୁ ଏହି ପଦବୀ ସ୍କିମାଟିକ ବା ଯୋଜନାଭିତ୍ତିକ ବୋଲି ଲେଖାଯାଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ।

କେବଳ ଏତିକି ନୁହେଁ ଶିକ୍ଷକମାନଙ୍କୁ ଜିଲ୍ଲା ପରିଷଦ ଅଧିନରେ ନିଯୁକ୍ତି ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି । ସିଧାସଳଖ ଭାବେ ଗଣଶିକ୍ଷା ବିଭାଗ ନିଯୁକ୍ତି ଦେଉନଥିବାରୁ, ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଶିକ୍ଷକମାନେ କାହା ପାଖରେ ଉତ୍ତରଦାୟୀ ରହିବେ, ତାହା ଦ୍ୱନ୍ଦ୍ୱରେ ପକାଇଛି ।

ଯୋଜନାଭିତିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ୨୦୧୯ରୁ ୨୦୨୩ ମଧ୍ୟରେ ୨୧ହଜାର ୨୦୯ ଜଣ ଶିକ୍ଷକ ଅବସର ନେଇଥିବାବେଳେ ସେମାନଙ୍କ ସ୍ଥାନରେ କାହିଁକି ଠିକା ନିଯୁକ୍ତି ଦିଆଯିବ ବୋଲି ପ୍ରଶ୍ନ କରିଛି ଦଳ । ଏଥିସହ ଗତକାଲିର ନୋଟିଫିକେସନକୁ ପ୍ରତ୍ୟାହାର କରି, ନୂଆ ବିଜ୍ଞପ୍ତି ଜାରି କରିବାକୁ ଦାବି ଜଣାଇଛି ଭାରତୀୟ ଜନତା ପାର୍ଟି ।

ତେବେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଆସନ୍ତା ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ । ଏହି ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ଅନଲାଇନରେ ହେବ । କମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ପ୍ରାର୍ଥୀ ଚୟନ କରାଯିବ । ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଓସେପା ୱେବସାଇଟରେ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି କର୍ତୁପକ୍ଷ ।

ଗୋଟିଏ ପଟେ ପ୍ରାଥମିକ ଶିକ୍ଷକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି । ଆଉ ଏପଟେ ଯୋଜନାଭିତିକ ପଦବୀରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ କରିବା, ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।