କନକ ବ୍ୟୁରୋ : ଦୀର୍ଘର୍ ବର୍ଷ ଧରି ଚାଲିଥିବା ପେଶା ଏବେ ନିଶାରେ ପରିଣତ ହୋଇଛି । ଗୁରୁମାନି ତାଙ୍କୁ ଯିଏ ଜ୍ଞାନ ମାଗିଛି ସ୍ୱେଚ୍ଛାକୃତ ଭାବେ ସେ ବାଣ୍ଟି ଚାଲିଛନ୍ତି । ଅବସର ପୂର୍ବରୁ ଓ ପରବର୍ତି ସମୟ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ । ପୂର୍ବରୁ ପେଶା କରି ସରକାରୀ ଅନୁଦାନ ପାଉଥିଲେ ଆଉ ଏବେ ତାହା ନିଶା ପାଲଟିଯାଇଛି । ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ କରି ଚର୍ଚ୍ଚାରେ ଅଛନ୍ତି ବ୍ରହ୍ମପୁରର ଜଣେ ଆଦର୍ଶ ଶିକ୍ଷକ ।
ବଡି ଭୋରୁ ନିତ୍ୟକର୍ମ ସାରି ସକାଳ ୭ଟାରେ ଘରୁ ବାହାରି ପଡନ୍ତି । କେ.ସି.ବାଲିକା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀନିବାସ, ସହର ଓ ଉପକଣ୍ଠର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନ ପାଇଁ ପହଞ୍ଚିଯାଆନ୍ତି । ଛାତ୍ରଛାତ୍ରୀଙ୍କୁ ସବୁ ବିଷୟରେ ଶିକ୍ଷାଦାନ ସହ ଖେଳକୁଦ ଜ୍ଞାନ ଦିଅନ୍ତି କେଦାର ସାର୍ । ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଥିବା ଛାତ୍ରୀଙ୍କ ଶିକ୍ଷାର ବିକାଶକୁ ପ୍ରାଧାନ୍ୟ ଦେଇଥାନ୍ତି । ଛାତ୍ରଛାତ୍ରୀ ମଧ୍ୟ କେଦାର ସାର୍ଙ୍କ ଆସିବା ବାଟକୁ ଚାହିଁ ବସିଥାନ୍ତି ।
ଅନ୍ୟପକ୍ଷେ ୨ ବର୍ଷ ତଳୁ ଅବସର ନେଇଛନ୍ତି ହେଲେ ହାଲିଆ ହୋଇନାହାନ୍ତି । ଉତମ ସମାଜ ଗଠନ ପାଇଁ ଏହି ସ୍ୱେଚ୍ଛାକୃତ ଶିକ୍ଷାଦାନ ନିଶ୍ୱାସ ଥିଲା ଯାଏଁ ଜାରୀ ରହିବ ବୋଲି କହିଛନ୍ତି କେଦାର ସାର୍ । ବ୍ରହ୍ମପୁର ସହରର ସହିଦ୍ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ, କେ ସି ଟାଉନ ହାଇସ୍କୁଲ, ମେଡିକାଲ କ୍ୟାମ୍ପସ ହାଇସ୍କୁଲ ଓ ସିଟି ହାଇସ୍କୁଲ ସମେତ ସହର ଉପକଣ୍ଠ ଫୁଲଟା, ଦାସପୁର ଭଳି ବିଭିନ୍ନ ସ୍କୁଲରେ ଶିକ୍ଷାଦାନ କରିଆସୁଛନ୍ତି ।
ଯେଉଁ ସ୍କୁଲରେ ଶିକ୍ଷକ ଅଭାବ ଥାଏ ସେହି ସ୍କୁଲରେ ପହଞ୍ଚିଯାଆନ୍ତି । ଗଣିତ, ଇଂରାଜୀ, ଭୂଗୋଳ ଓ ବିଜ୍ଞାନ ଭଳି ସମସ୍ତ ବିଷୟରେ ଭିନ୍ନ ଢଙ୍ଗରେ ପାଠ ପଢାଇବା ସହ ପିଲାଙ୍କୁ ଶାରିରୀକ କସରତ କରାଇଥାନ୍ତି । ଶିକ୍ଷକ ସମାଜ ପାଇଁ କେଦାର ସାର୍ ଉଦାହରଣ ବୋଲି କହିଛନ୍ତି ବିଭିନ୍ନ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମତ । ଶିକ୍ଷାଦାନକୁ ବୃତି ନୁହେଁ ବରଂ ବ୍ରତ ବୋଲି ଭାବିଲେ ଜଣେ ଶିକ୍ଷକ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେଇପାରିବ ।