୭ ବର୍ଷ ଭିତରେ ପାନୀୟ ଜଳ ଯୋଗାଣ ପାଇଁ ଦୁଇ ଦୁଇ ଥର ଖୋଳା ହେଲାଣି ଗାଁ ଦାଣ୍ଡ: ଭାଙ୍ଗି ରୁଜିଗଲାଣି ଟ୍ୟାପ୍, ହେଲେ ଲୋକଙ୍କୁ ମିଳୁନି ପାଇପ ପାଣି

96

କନକ ବ୍ୟୁରୋ: ପାଣି ପାଇଁ ଡହଳବିକଳ ପୁରୀ ଜିଲ୍ଲା କଣାସ ବ୍ଲକର ଶିରେଇ ଗ୍ରାମବାସୀ । ପାନୀୟ ଜଳ ଯୋଗାଣ ପାଇଁ ୭ ବର୍ଷ ଭିତରେ ଦୁଇ ଦୁଇ ଥର ଗାଁ ଦାଣ୍ଡ ଖୋଳା ହୋଇ ପାଇପ ପଡ଼ିଛି । ହେଲେ ଲୋକଙ୍କୁ ଏଯାଏଁ ଟୋପାଏ ବି ପାଣି ମିଳିନି । ଏପଟେ ଶୁଖିଲା ପଡ଼ିଛି ଗାଁରେ ଥିବା କୂଅ । ପୋଖରୀର ପଚାସଢ଼ା ପାଣି ଉପରେ ନିର୍ଭର କରୁଛନ୍ତି ୩ ୱାର୍ଡର ବାସିନ୍ଦା । ପାଣି ସମସ୍ୟାକୁ ନେଇ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ଫଳ ଶୁନ୍ ।

ଖରା ବଢ଼ିବା ସହ ବଢିଲାଣି ଜଳ ସଙ୍କଟ । ପିଇବା ପାଣି ପାଇଁ ସମସ୍ୟା ଭୋଗୁଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସିରେଇ ଗାଁର ଲୋକ । ଗାଁରେ ପାଖାପାଖି ୨ ହଜାରରୁ ଅଧିକ ଲୋକ ବସବାସ କରନ୍ତି । ନିତ୍ୟବ୍ୟବହାର୍ଯ୍ୟ କାମ ସହ ପିଇବା ପାଣି ପାଇଁ ପୋଖରୀ ଓ ଗାଁରେ ଥିବା କୂଅ ପାଣି ଉପରେ ନିର୍ଭର କରୁଛନ୍ତି । ଯେଉଁ ପୋଖରୀ ଅଛି ସେଥିରେ ଦଳ ଭର୍ତି ହୋଇଛି । ପାଣି ମଧ୍ୟ ପୋଚା ଗନ୍ଧ ହେଉଛି । ସେହି ପାଣିରେ ଗଧୋଇବା ସହ ପିଇବା ପାଇଁ ବ୍ୟବହାର କରୁଛନ୍ତି । ଖରାଦିନ ଯୋଗୁ କୂଅର ଜଳସ୍ତର କମିଗଲାଣି । ତେଣୁ ରାତି ପାହିଲେ କୂଅ ମୂଳେ ମହିଳାଙ୍କ ଲମ୍ବା ଲାଇନ୍ ଲାଗୁଛି ।

୭ ବର୍ଷ ଭିତରେ ଦୁଇ ଦୁଇ ଥର ଗାଁ ଦାଣ୍ଡ ଖୋଳା ହୋଇ ପାଣି ପାଇଁ ପାଇପ୍ ବିଛାଯାଇଛି । ଟ୍ୟାପ୍ ବି ବସିଛି । କିନ୍ତୁ ପାଣି ଯୋଗାଣ ନହେବାରୁ ସେ ସବୁ ଭାଙ୍ଗିରୁଜି ଗଲାଣି । ସବୁଠାରୁ ବଡ଼ କଥା ହେଉଛି କଣାସ ବ୍ଲକ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ରହିଛି ଏହି ଗାଁ । ହେଲେ ଏହି ଗାଁ ପ୍ରତି କୌଣସି ଜନପ୍ରତିଧି କିମ୍ବା ପ୍ରଶାସନିକ ଅଧିକାରୀଙ୍କ ନଜର ନପଡ଼ିବା ସବୁଠାରୁ ପରିତାପର ବିଷୟ ପାଲଟିଛି । ଆଗକୁ ଖରା ବଢ଼ିବା ସହ ଅସହ୍ୟ ହେବ ଜଳଯନ୍ତ୍ରଣା । ତେଣୁ ପାଣି ସମସ୍ୟାର ସମାଧାନ ନହେଲେ ଗାଁର ମହିଳା ମାନେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।