ଡିଏମକେ ପରେ ମହିଳାକାର୍ଡ ଖେଳିଲେ ତାମିଲନାଡୁ ସରକାର । ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀଙ୍କ ବଡ ଘୋଷଣା । କହିଲେ ଦଳ କ୍ଷମତାକୁ ଫେରିଲେ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ଦିଆଯିବ ୧୫ ଶହ ଟଙ୍କା । 

102

କନକ ବ୍ୟୁରୋ: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ପ୍ରତିଶ୍ରୁତିର ରାଜନୀତି ଜୋର ଧରିଛି । ମହିଳା ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ମହିଳା କାର୍ଡ ଖେଳି, ଭୋଟ ହାତେଇବାକୁ ରାଜନୈତିକ ଦଳଗୁଡିକ ପ୍ରତିଶ୍ରୁତିର ବନ୍ୟା ଛୁଟାଇଛନ୍ତି । ମୁଖ୍ୟମନ୍ତ୍ରୀ ଇ.କେ, ପଲାନୀ ସ୍ୱାମୀ କହିଛନ୍ତି ଆଗାମୀ ନିର୍ବାଚନରେ ତାଙ୍କ ସରକାର ପୁଣି କ୍ଷମତାକୁ ଫେରିଲେ, ସାମାଜିକ ନ୍ୟାୟ ଓ ମହିଳାଙ୍କ ହାତରେ ଆର୍ଥିକ କ୍ଷମତା ଦେବାକୁ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୧୫୦୦ ଟଙ୍କା ଦିଆଯିବ । ସେହିପରି ସାରା ଦେଶରେ ଏଲପିଜି ଗ୍ୟାସ ସିଲିଣ୍ଡରର ଦରବୃଦ୍ଧିକୁ ଆଖିରେ ରଖି, ତାମିଲନାଡୁର ପ୍ରତି ପରିବାରକୁ ବାର୍ଷିକ ୬ଟି ଗ୍ୟାସ ସିଲିଣ୍ଡର ମାଗାଣ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ମହିଳାଙ୍କ ହାତରେ ଆର୍ଥିକ କ୍ଷମତା ଦେବା, ତାଙ୍କ ଆଇଡିଆକୁ ଡିଏମକେ ମୁଖ୍ୟ ଷ୍ଟାଲିନ ଚୋରୀ କରି ଆଗୁଆ ଘୋଷଣା କରିଛନ୍ତି ।

ଗତ ରବିବାର ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଘୋଷଣା କରିଥିଲେ, ତାଙ୍କ ଦଳ କ୍ଷମତାକୁ ଫେରିଲେ ପରିବାରର ମହିଳା ମୁଖ୍ୟଙ୍କୁ ହଜାରେ ଟଙ୍କା ଦିଆଯିବ । ଏହାର ଦିନକ ପରେ ଅର୍ଥାତ୍ ବିଶ୍ୱ ମହିଳା ଦିବସରେ ଡିଏମକେ ସହ ନିଲାମରେ ପ୍ରତିଯୋଗିତା କଲା ଭଳି ତାମିଲନାଡୁ ସରକାର ମହିଳାଙ୍କୁ ମାସିକ ୧୫ଶହ ଟଙ୍କା ଦେବାକୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଇକେ ପଲାନସ୍ୱାମୀ କହିଛନ୍ତି ୧୦ ଦିନ ହେଲା ତାଙ୍କ ଇସ୍ତାହର ପ୍ରସ୍ତୁତ ହୋଇସାରିଛି । ଏହା ଲିକ ହେବାରୁ ଷ୍ଟାଲିନ ସେଇଥିରୁ ଉପାୟ ଚୋରି କରିଛନ୍ତି । ସେପଟେ ଅଭିନେତାରୁ ରାଜନେତା ସାଜିଥିବା କମଲ ହାସନ, ମଧ୍ୟ ଷ୍ଟାଲିନ ତାଙ୍କ ଘୋଷଣାପତ୍ରରୁ ଚୋରି କରାଯାଇଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ମହିଳାଙ୍କ ମାସିକ ଆର୍ଥିକ ସହାୟତା ଦେବା ବୁଦ୍ଧି ୟୁରୋପୀୟ ମୋଡେଲରୁ ପାଇଥିବା କହିଛନ୍ତି ଏମକେ ଷ୍ଟାଲିନ । ଅନ୍ୟପଟେ ଜନକଲ୍ୟାଣକାରୀ କାମ ପାଇଁ ପୁଣିଥିରେ ଏଆଇଏଡିଏମକେକୁ ତାମଲନାଡୁର ଜନତା ବାଛିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଇ.କେ ପଲାନୀସ୍ୱାମୀ । ଖୁବ ଶୀଘ୍ର ଏଆଇଏଡିଏମକେ ପକ୍ଷରୁ ଇସ୍ତାହର ଜାରି କରାଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପନିର ସେଲଭମଙ୍କ ଉପସ୍ଥିତିରେ କହିଛନ୍ତି ପଲାନୀସ୍ୱାମୀ ।

ତାମିଲନାଡୁରେ ଚଳିତ ବିଧାନସଭା ନିର୍ବାଚନରେ କିଏ ବାଜିମାତ କରିବ ତାହା ତ ସମୟ କହିବ । ହେଲେ ମହିଳା ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ତାମିଲନାଡୁରେ ରାଜନୈତିକ ଦଳଙ୍କ ଯେଉଁ ପ୍ରତିଯୋଗିତା ଲାଗିଛି । ତାହା ଅବାଧ ନିର୍ବାଚନ ଓ ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟାର ଯେ ନିଶ୍ଚୟ ବିରୋଧ କରୁଛି ଏକଥା ଯେ କେହି ବି କହିପାରିବ ।