ପଞ୍ଜଶିର ଦଖଲ ନେଇ ଦାବି କଲା ତାଲିବାନ । ବିଶ୍ୱ ଦେଖିଲା ପାକିସ୍ତାନର ଚାଲ!

366

କନକ ବ୍ୟୁରୋ: ଆଫଗାନିସ୍ତାନର ଅଜେୟ ଗଡ ପଞ୍ଜଶିରକୁ ତାଲିବାନର କବଜା । ଆଫଗାନିସ୍ତାନର ଶେଷ ଗଡ ଭାବେ ପଞ୍ଜଶିରକୁ ଦଖଲ କରିଥିବା ତାଲିବାନ ଘୋଷଣା କରିଛି । ତେବେ ଅହମ୍ମଦ ମାସୁଦଙ୍କ ସେନା ତାଲିବାନରୁ ଦାବିକୁ ଖଣ୍ଡନ କରିଛନ୍ତି । କହିଛନ୍ତି ଏବେ ବି ପଞ୍ଜଶିରରେ ରେଜିଷ୍ଟାନ୍ସ ଫୋର୍ସ ଅଛନ୍ତି ଓ ଆତଙ୍କବାଦୀଙ୍କ ବିରୋଧରେ ଲଢେଇ ଜାରି ରହିବ । ଅନ୍ୟପଟେ ଲଢେଇର ନେତୃତ୍ୱ ନେଉଥିବା ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶିର ଛାଡି ତାଜକିସ୍ତାନ ଚାଲିଯାଇଥିବା କୁହାଯାଉଛି ।

  • ପଞ୍ଜଶିରରେ ଉଡିଲା ତାଲିବାନ ପତାକା
  • ବିଦ୍ରୋହୀ ଗଡକୁ ଦଖଲ କଲେ ତାଲିବାନ?
  • ବିଦ୍ରୋହର ନେତୃତ୍ୱ ନେଉଥିବା ନେତା ଛାଡିଲେ ଆଫଗାନ

ଆଫଗାନିସ୍ତାନର ଅଭେଦ୍ୟ ଗଡ ହୋଇ ରହିଥିବା ପଞ୍ଜଶିରରେ ଉଡୁଛି ତାଲିବାନ ପତାକା । ଗଭର୍ଣ୍ଣର ହାଉସକୁ କବଜା କରିବା ସହ ତାଲିବାନ ଆତଙ୍କୀ ସଂପୂର୍ଣ୍ଣ ପଞ୍ଜଶିରକୁ ଦଖଲକୁ ନେଇଥିବା ଦାବି କରିଛନ୍ତି । ତେବେ ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ ତାଲିବାନଙ୍କୁ ଦାବିକୁ ଖଣ୍ଡନ କରିିଛି, କହିଛି ପଞ୍ଜଶିରରେ ତାଲିବାନଙ୍କ ସହ ଲଢେଇ ଜାରି ରହିବ । ପଞ୍ଜଶିର ଘାଟିରେ ରହି ବିଦ୍ରୋହର ନେତୃତ୍ୱ ନେଉଥିବା ଅମରୁଲ୍ଲା ସଲେହ ତାଜିକସ୍ତାନ ପଳାଇଥିବା କୁହାଯାଉଛି । ସେହିପରି ବିଦ୍ରୋହୀ ନେତା ଅହମ୍ମଦ ମାସୁଦ ସୁରକ୍ଷିତ ଅଛନ୍ତି ବୋଲି ଟୁଇଟ କରି ଲେଖିଛନ୍ତି, ତାଙ୍କ ଶବ୍ଦକୋଷରେ ଆତ୍ମସମର୍ପଣ ଶବ୍ଦନାହିଁ । ଆଗକୁ ତାଲିବାନ ବିରୋଧରେ ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି ।

ତେବେ ବିଦ୍ରୋହୀ ସେନାଙ୍କ ଏକାଧିକ କମାଣ୍ଡରଙ୍କ ମୃତ୍ୟୁ ପରେ ଏବଂ ଇସଲାମ ଧର୍ମଗୁରୁଙ୍କ ଅପିଲ ପରେ ଅସ୍ତ୍ରବିରତି ଘୋଷଣା କରି କଥାବାର୍ତ୍ତା ପ୍ରସ୍ତାବ ଦେଇଥିଲେ ଅହମ୍ମଦ ମାସୁଦ । ଏହାକୁ ପ୍ରତ୍ୟାଖ୍ୟାନ ପାକିସ୍ତାନ ସେନାର ସହାୟତାରେ ତାଲିବାନ ପଞ୍ଜଶିର ଦଖଲ କରିଥିବା କୁହାଯାଉଛି । ପଞ୍ଜଶିରର ବିଦ୍ରୋହୀ ସେନା ପାକିସ୍ତାନ ଜେଟକୁ ଗୁଳି କରି ଖସାଇ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେଣୁ ପ୍ରଶ୍ନ ହେଉଛି, ତାଲିବାନର ଆଢୁଆଳରେ ପାକିସ୍ତାନ ହିଁ ଆଫଗାନିସ୍ତାନରେ ଖେଳ କରୁଛି । ତେଣୁ ପଞ୍ଜଶିର ମାମଲାରେ ହସ୍ତକ୍ଷେପ କରିବାକୁ ନର୍ଦ୍ଦନ ଆଲାୟନ୍ସ ଜାତିସଂଘ ସମେତ ବିଶ୍ୱ ସମୁଦାୟକୁ ଅପିଲ କରିଛି ।