ଆସୁଛି ଟି-୨୦ ବଶ୍ୱକପ୍, ଫିଟ୍ ନାହାନ୍ତି ପାଣ୍ଡ୍ୟା ! ଭାରତୀୟ ଦ୍ରୁତ ଅଲରାଉଣ୍ଡରଙ୍କ ବିକଳ୍ପ ହେବେ କି ଏହି ଖେଳାଳି?

366
କନକ ବ୍ୟୁରୋ: ଆଇପିଏଲ ମହାସମର ପରେ ପରେ ଆରମ୍ଭ ହୋଇଯିବ ଟି-୨୦ କ୍ରିକେଟ୍ ବିଶ୍ୱକପ୍ । ଆଉ ବିଶ୍ୱକପ୍ ପାଇଁ ପୂର୍ବରୁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇସାରିଥିଲେ ବି ଏବେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବିଶ୍ୱକପ୍ ପୂର୍ବରୁ ଭଲ ଫର୍ମରେ ନାହାନ୍ତି । ଏମିତି କି ୟୁଏଇରେ ଖେଳାଯାଉଥିବା ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ସେମାନଙ୍କ ଖେଳ ବେଶ୍ ନୈରାଶ୍ୟଜନକ ରହିଛି । ଆଉ ସେମାନଙ୍କ ମଧ୍ୟରୁ ଭାରତୀୟ ଦଳର ଦ୍ରୁତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ବି ରହିଛି ।
ଫିଟ୍ ନୁହନ୍ତି ପାଣ୍ଡ୍ୟା
ଟିମ୍ ଇଣ୍ଡିଆର ସବୁଠୁ ବଡ ମ୍ୟାଚ୍ ବିଜେତା ଭାବରେ ବିବେଚିତ ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଫିଟ୍ ନୁହଁନ୍ତି ଏବଂ ତାଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠିଛି । ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ କିଛି ମ୍ୟାଚ୍ ଖେଳି ପାରିନଥିଲେ ହାର୍ଦ୍ଦିକ ପାଣ୍ଡ୍ୟା  ।ଏହା ପରେ ସେ ପଡ଼ିଆକୁ ଓହ୍ଲାଇନଥିଲେ ବି ପୂର୍ବ ଭଳି ତାଙ୍କ ପ୍ରଦର୍ଶନ ସେମିତି କିଛି ଖାସ୍ ନଥିଲା । କେବଳ ଏତିକି ନୁହେଁ, ହାର୍ଦ୍ଦିକ ଏପର୍ଯ୍ୟନ୍ତ ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟରେ ଏକ ଓଭର ବୋଲିଂ ମଧ୍ୟ କରିନାହାଁନ୍ତି । ଯାହା ପରେ ତାଙ୍କ ଫିଟନେସ ବିଷୟରେ କ୍ରମାଗତ ଭାବରେ ପ୍ରଶ୍ନ ଉଠିଛି ।
ହାର୍ଦ୍ଦିକଙ୍କ ବିକଳ୍ପ ବନିପାରନ୍ତି ଏହି ପ୍ଲେୟାର
ଯେହେତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠିଛି, ଆଉ ତାଙ୍କୁ ଟି -୨୦ ବିଶ୍ୱକପ ଦଳରୁ ଓହରିଯିବା ଉଚିତ ବୋଲି କ୍ରୀଡ଼ା ବିଶେଷଜ୍ଞମାନ ମତ ରଖୁଛନ୍ତି । କିନ୍ତୁ ଯଦି ହାର୍ଦ୍ଦିକ ବିଶ୍ୱକପରୁ ବାହାରିଛନ୍ତି, ତେବେ ତାଙ୍କୁ କିଏ ତାଙ୍କ ବିକଳ୍ପ ହେବ? ଏଭଳି କିଛି ଅଙ୍କକଷା ଭିତରେ ଗତକାଲିର ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିବା ଦମଦାର ମ୍ୟାଚରୁ ଏକ ଖେଳାଳି ନାଁ ଚର୍ଚ୍ଚାକୁ ଆସିଛି । ରାଜସ୍ଥାନ ଅଲରାଉଣ୍ଡର ଶିବମ ଦୁବେ ପୁଣି ଥରେ ଟିମ୍ ଇଣ୍ଡିଆକୁ ଫେରିବାର ସୁଯୋଗ ପାଇପାରିବେ । ଶିବମ୍ ଦୁବେ ନିଜ ବ୍ୟାଟିଂ ଜରିଆରେ ରାଜସ୍ଥାନକୁ ବିଜୟୀ କରାଇଥିଲେ । ଆଇପିଏଲର ଶକ୍ତିଶାଳୀ ଟିମ୍ ଚେନ୍ନାଇ ବିପକ୍ଷରେ ମାତ୍ର ୪୨ ବଲରେ ଦୁବେ ୬୪ ରନ୍ ସଂଗ୍ରହ କରିଥିଲେ । ଏହି ଇନିଂସ ସମୟରେ ସେ ୪ଟି ଚୌକା ଓ ୪ଟି ଛକା ମାରିଥିଲେ । ଏହା ବ୍ୟତୀତ ଶିବମ୍ ଦୁବେ ମଧ୍ୟ ଭଲ ବୋଲିଂ କରନ୍ତି । ତେଣୁ ହାର୍ଦ୍ଦିକଙ୍କ ଭଲ ବିକଳ୍ପ ଯଦି କିଏ ହେବ ତାହା କେବଳ ଶିବମ୍ ଦୁବେ ବୋଲି ଆଲୋଚନା କରାଯାଉଛି ।