ଇମ୍ରାନଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା! ଇମ୍ରାନଙ୍କ ଘର ଭିତରକୁ ଧଶେଇ ପଶିଲା ପୋଲିସ

119

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଯଦିଓ ତୋଷଖାନ୍ନା ମାମଲାରେ ଇମ୍ରାନଙ୍କୁ ଆଶ୍ୱସ୍ତି ମିଳିଛି, କିନ୍ତୁ ତାଙ୍କ ଉପରେ ଆଉଏକ ମାମଲା ରୁଜୁ ହୋଇଛି । ଇମ୍ରାନଙ୍କ ବିରୋଧରେ ଆତଙ୍କୀ ନିରୋଧୀ ଆଇନ୍ ଆଧାରରେ ମାମଲା ରୁଜୁ କରାଯାଇଚି । ଏହାସହ ତାଙ୍କ ନାଁରେ ମାମଲା ୧୦୦ରେ ପହଞ୍ଚିଯାଇଛି । ଶନିବାର ଲାହୋରସ୍ଥିତ ଇସଲାମାବାଦ କୋର୍ଟରେ ହାଜର ହୋଇଥିଲେ ଇମ୍ରାନ । କିନ୍ତୁ ଅଧା ବାଟରେ ତାଙ୍କ ଗାଡ଼ିକୁ ରୋକିଦିଆଯାଇଥିଲା । ଯଦିଓ ଇମ୍ରାନଙ୍କୁ କୌଣସି କ୍ଷତି ହୋଇନଥିଲା, କିନ୍ତୁ ତାଙ୍କ କାରକେଡରେ ସାମିଲ ହୋଇଥିବା କିଛି ସମର୍ଥକଙ୍କୁ ଆଘାତ ଲାଗିଥିଲା ।

ଅନ୍ୟପକ୍ଷରେ ଇମ୍ରାନଙ୍କ ଘରେ ବହୁସଂଖ୍ୟକ ପୋଲିସ ବଳପୂର୍ବକ ଧଶେଇ ପଶିଥିଲେ । ପାଖାପାଖି ୧୦ହଜାର ପୋଲିସ ଇମ୍ରାନଙ୍କ ବାସଭବନ ଆଗରେ ମୁତୟନ ହୋଇଥିଲେ । ବୁଲଡୋଜର ଜରିଆରେ ଘରର କିଛି ଅଂଶ ଭଙ୍ଗାଯାଇଥିବା ମଧ୍ୟ ଜଣାପଡିଛି । ଇମ୍ରାନଙ୍କ ଘର ଓ ଘର ବାହାର ଜଗି ରହିଥିବା ସମର୍ଥକ ଓ ପୁଲିସ ମଧ୍ୟରେ ବଡ ଧରଣର ସଂର୍ଘଷ ହୋଇଥିଲା । ତେବେ ବଡ଼ କଥା ହେଉଛି ଇମ୍ରାନଙ୍କ ଘରୁ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଓ ପେଟ୍ରୋଲ ବୋମା ଜବତ ହୋଇଥିବା ଜଣାପଡ଼ିଛି । ଆଉ ଏକେ-୪୭ ରାଇଫଲ ମଧ୍ୟ ଜବତ କରିଛି ପୋଲିସ ।