ରାତିତମାମ୍ ସଂସଦ ପରିସରରେ ଧାରଣାରେ ବସି ରହିଲେ ନିଲମ୍ୱିତ ସାଂସଦ : ମନାଇବା ପାଇଁ ସକାଳୁ ଚା ନେଇ ପହଁଚିଲେ ରାଜ୍ୟସଭା ଉପାଧ୍ୟକ୍ଷ ; ମାନିଲେନି ସାଂସଦ, କହିଲେ ଆପଣ ବି ଏଥିପାଇଁ ଦାୟି

427

କନକ ବ୍ୟୁରୋ : ରାଜ୍ୟସଭାରେ କୃଷି ବିଲକୁ ନେଇ ହଙ୍ଗାମା କରି ନିଲମ୍ୱିତ ହୋଇଥିବା ୮ ସାଂସଦ ସଂସଦର ଗାନ୍ଧି ମୂର୍ତି ନିକଟରେ ସାରା ରାତି ଧାରଣା ଦେଇଛନ୍ତି । ଆଜି ଏହି ଧାରଣା ସ୍ଥଳରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଧାରଣା ସ୍ଥଳରେ ପହଁଚିଥିଲେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ । ହାତରେ ଥିଲା ଗରମ୍ ଗରମ୍ ଚାହା । ଥର୍ମୋଫ୍ଲାକ୍ସରେ ଗରମ ଗରମ୍ ଚା ଆଣି ଆଣି ଧାରଣାରେ ବସିଥିବା ୮ ସାଂସଦଙ୍କୁ ଦେବା ସହିତ ସେମାନଙ୍କୁ ମନାଇବାକୁ ଉଦ୍ୟମ କରିଛନ୍ତି ହରିବଂଶ ।

ଗତକାଲି ସାରା ରାତି ଗାନ୍ଧି ମୂର୍ତି ତଳେ ବସି ପ୍ରଦର୍ଶନ କରିଛନ୍ତି ଏହି ନିଲମ୍ୱିତ ସାଂସଦମାନେ । ସରକାର ଗଣତନ୍ତ୍ରର ସ୍ୱର ଚାପିବାକୁ ଉଦ୍ୟମ କରିଛନ୍ତି , କୃଷକଙ୍କ ସମସ୍ୟା ପ୍ରତି କେନ୍ଦ୍ର ସରକାର ଆଖି ବୁଜିଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ସାଂସଦ । ସଂସଦରେ ଗଣତନ୍ତ୍ରର ହତ୍ୟା କରାଯାଇଥିବା ପୋଷ୍ଟର ସହିତ ସଂସଦ ବାହାରେ ଧାରଣା ଜାରି ରଖିଛନ୍ତି ନିଲମ୍ୱିତ ସାଂସଦ ।

ରାଜ୍ୟସଭା ଉପାଧ୍ୟକ୍ଷଙ୍କ ଅନୁରୋଧକୁ ଏଡାଇ ଯାଇଛନ୍ତି ଧାରଣାରେ ବସିଥିବା ସାଂସଦ । କହିଛନ୍ତି ଏଥିପାଇଁ ବି ସେ ଦାୟୀ । ସେପଟେ କଂଗ୍ରେସ ସମେତ ୧୨ଟି ବିରୋଧୀ ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । ସଂସଦରେ ୨ଟି କୃଷି ବିଲ୍ ପାରିତ ହେବା ପରେ ଏଥିରେ ରାଷ୍ଟ୍ରପତି ମୋହର ନମାରିବାକୁ ନିବେଦନ କରିବାକୁ ସମୟ ମାଗିଛନ୍ତି ବିରୋଧୀ ।

Comments are closed.