୩୦ଲକ୍ଷ ଟଙ୍କା ଧରି ଯାଉଥିବା ବେଳେ ପୋଲିସ ହାବୁଡରେ ପଡ଼ିଲେ ସନ୍ଦିଗ୍ଧ । କେଉଁଠୁ ଆସିଲା ଟଙ୍କା, ହିସାବ ଦେଇ ପାରିଲେନି ଯୁବକ

542

କନକ ବ୍ୟୁରୋ : ରାଜଧାନୀରେ ରହସ୍ୟ ସୃଷ୍ଟି କରିଛି ଏହି ଜରି ବ୍ୟାଗ ଭିତରେ ଥିବା ବିଡା ବିଡା ଟଙ୍କା । ଏତେ ପରିମାଣରେ ଟଙ୍କା କେଉଁଠୁ ଆସିଲା ତାକୁ ନେଇ ଦିନ ସାରା ଲାଗି ରହିଥିଲା ଚର୍ଚ୍ଚା । ଏସବୁ ଭିତରେ ଟଙ୍କାକୁ ନେଇ ଯାଉଥିବା ଯୁବକକୁ ଅଟକ ରଖି ଖୋଳତାଡ ଆରମ୍ଭ କରିଛି କମିଶନରେଟ୍ ।

ପାରଳାଖେମୁଣ୍ଡିରୁ ଆସିଥିବା ଏକ ବସରୁ ଓହ୍ଲାଇଥିଲେ ଜଣେ ଯୁବକ । ହାତରେ ଥିଲା ଏହି ଟଙ୍କା ଭର୍ତି ବ୍ୟାଗ୍ । ଏହି ସମୟରେ ତପୋବନ ପେଟ୍ରୋଲ ପମ୍ପ ନିକଟରେ ଯାଉଥିବା ଏକ ପିସିଆର ଭ୍ୟାନକୁ ଦେଖି ଯୁବକ ଜଣଙ୍କ ଅଚାନକ ଦୌଡ଼ିବା ଆରମ୍ଭ କରିଥିଲେ । ଯୁବକ ଜଣଙ୍କର ଏଭଳି କାର୍ଯ୍ୟକୁ ଦେଖି ସନ୍ଦେହ କରିଥିଲା ପୋଲିସ । ଆଉ ତାପରେ ଗୋଡାଇ ଗୋଡାଇ ଯୁବକଙ୍କୁ କାବୁ କରିଥିଲା । ଯୁବକଙ୍କୁ କାବୁ କରିବା ପରେ ସେ ଧରିଥିବା ବ୍ୟାଗରେ ୩୦ ଲକ୍ଷ ଟଙ୍କା ଥିବା ଜଣାପଡିଥିଲା ।

ଅନ୍ୟପଟେ ଏହି ଟଙ୍କା ପାନ ମସଲା କମ୍ପାନୀର ବୋଲି ଦାବି କରିଛନ୍ତିି ଧରାପଡିଥିବା ଯୁବକଙ୍କ ସହଯୋଗୀ ତଥା ପାନ ମସଲା ମାଲିକ । ସେ କହିଛନ୍ତି, ଲକ୍ଡାଉନ ସଟଡ଼ାଉନ ବେଳେ ପାରଳାଖେମୁଣ୍ଡି ଓ ରାୟଗଡାରେ ଛୋଟ ଛୋଟ ବ୍ୟବସାୟୀଙ୍କ ଉପରେ ବାକି ପଡ଼ିଥିବା ଟଙ୍କା ଆଦାୟ ହୋଇପାରିନଥିଲା । ଏବେ ସେମାନଙ୍କଠାରୁ ଏହି ଟଙ୍କା ଆଦାୟ କରାଯିବା ପରେ ତାଙ୍କ ସହଯୋଗୀ ଭୁବନେଶ୍ୱର ଆଣୁଥିଲେ ।

ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ଏହାକୁ ନେଇ ପୋଲିସର ସନ୍ଦେହ ସୃଷ୍ଟି ହୋଇଛି । ଏହି ସନ୍ଦେହ ଉପରୁ ପର୍ଦ୍ଦା ଉଠାଇବା ପାଇଁ ଆୟକର ଓ ସେଲସଟାକ୍ସ ବିଭାଗକୁ ଜଣାଇଛନ୍ତି ଖଣ୍ଡଗିରି ପୋଲିସ । ତେବେ ପ୍ରଶ୍ନ ଉଠୁଛି, ବ୍ୟବସାୟୀ ଜଣଙ୍କ ଜିଏସଟି କିମ୍ବା ଆୟକର ଫାଙ୍କିବାକୁ ଏଭଳି କରିଥିଲେ କି? ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି?