ଆସିଲା ସେରୋସର୍ଭେ ରିପୋର୍ଟ । ୭୦ ପ୍ରତିଶତ ଶିଶୁଙ୍କ ଦେହରେ ଆଣ୍ଟିବଡି ।

73

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ସମ୍ପୂର୍ଣ୍ଣ ଯାଇନି, ତୃତୀୟ ଲହରର ଆଶଙ୍କା ରହିଛି । ଏଭଳି ପରିସ୍ଥିତି ଦେଇ ରାଜ୍ୟବାସୀ ଗତି କରୁଥିବାବେଳେ ଆସିଛି ଏକ ଭଲ ଖବର । ୧୨ ଜିଲ୍ଲାରେ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଜଣାପଡିଛି ୭୩ ପ୍ରତିଶତ ଲୋକଙ୍କ ପାଖରେ ରହିଛି କୋଭିଡ୍ ଭୂତାଣୁର ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି । ଖୋର୍ଦ୍ଧା ଜିଲ୍ଳାରେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ସର୍ବାଧିକ ୮୦ ପ୍ରତିଶତ ରହିଛି । ସେହିପରି ୯୩.୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କ ନିକଟରେ ରହିଛି ରୋଗ ପ୍ରତିରୋଧକ ଶକ୍ତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କରୋନାର ତୃତୀୟ ଲହର ଆସିଲେ, ଏଥିରେ ଅଧିକ ଛୋଟ ପିଲା ସଂକ୍ରମିତ ହେବାର ଆଶଙ୍କା କରାଯାଉଥିଲା । ଏହାକୁ ନେଇ ଅନେକଙ୍କ ଭିତରେ ଭୟ ଭିତରେ ସେରୋ ସର୍ଭେ ରିପୋର୍ଟ ଆଶ୍ୱସ୍ତି ଆଣିଛି । ରାଜ୍ୟର ୧୨ ଜିଲ୍ଲାରେ କରାଯାଇଥିବା ସର୍ଭେରୁ ଜଣାପଡିଛି ଟିକା ନେଇ ନଥିଲେ ବି ୭୦ ପ୍ରତିଶତ ପିଲାଙ୍କ ନିକଟରେ ଆଣ୍ଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ରହିଛି । ରାଜ୍ୟର ଉପକୂଳ, ପଶ୍ଚିମ , ଦକ୍ଷିଣ ଓ ଉତ୍ତର ଓଡିଶାର ୧୨ଟି ଜିଲ୍ଲାରୁ ପ୍ରାୟ ୬ ହଜାର ନମୁନା ସଂଗ୍ରହ କରିଥିଲା ଆରଏମଆରଏସି । ମୋଟ ସାମ୍ପୁଲ ମଧ୍ୟରୁ ୫୭୯୬ ନମୁନା ଗୋଷ୍ଠିରୁ ସଂଗ୍ରହ କରାଯାଇଥିଲା । ସେଥିରୁ ୪୨୪୭ ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବା ସୂଚନା ମିଳିଛି ।