କନକ ବ୍ୟୁରୋ: ନିଟ୍ ପରୀକ୍ଷାରେ ପାସ କଲେ ଜଣେ ଡାକ୍ତରୀ ପାଠ ପଢ଼ନ୍ତି, ହେଲେ ଏବେ ସେହି ପରୀକ୍ଷା ବିବାଦରେ । ଏହି ପରୀକ୍ଷା କରାଉଥିବା ନ୍ୟାସନାଲ ଇଲିଜିବିଲିଟି ଟେଷ୍ଟ ବା ଏନଟିଏର ଭୂମିକା ବିବାଦକୁ ଆସିଯାଇଛି । ସୁପ୍ରିମକୋର୍ଟ ଏବେ ଗ୍ରେସ ମାର୍କ ରଦ୍ଦ କରିଛି । ପୁଣିଥରେ ପରୀକ୍ଷାଦେବେ ୧୫୬୩ ପରୀକ୍ଷାର୍ଥୀ । ଏପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ପ୍ରବେଶିକା ପରୀକ୍ଷାରେ କୌଣସି ତ୍ରୁଟି ହୋଇନି ।
- ନିଟ୍ ପରୀକ୍ଷାରୁ ହଟିଲା ଗ୍ରେସ ମାର୍କ
- ଜୁନ ୨୩ରେ ପୁଣି ପରୀକ୍ଷା ଦେବେ ୧୫୬୩ ପରୀକ୍ଷାର୍ଥୀ
ନିଟ୍ ପରୀକ୍ଷା ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ପରୀକ୍ଷାରେ ଗ୍ରେସ୍ ମାର୍କ ପାଇଥିବା ୧୫୬୩ ଜଣ ପରୀକ୍ଷାର୍ଥୀଙ୍କ ଗ୍ରେସ ମାର୍କ ରଦ୍ଦ ହେବ । ଏହି ପରୀକ୍ଷାର୍ଥଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ପଡ଼ିବ । ଜୁନ୍ ୨୩ରେ ୧୫୬୩ ଜଣ ପରୀକ୍ଷାର୍ଥୀ ପୁଣିଥରେ ପରୀକ୍ଷା ଦେବେ ଏବଂ ଜୁନ ୩୦ରେ ପ୍ରକାଶ ପାଇବ ପରୀକ୍ଷା ଫଳ । ତେବେ ବନ୍ଦ ହେବନାହିଁ କାଉନସେଲିଂ ।
୧୫୬୩ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ମିଳିଥିଲା, କିନ୍ତୁ ଯେଉଁ ବିବା ଦ ହୋଇଛି, ତାହା କେବଳ ଗ୍ରେସ୍ ମାର୍କକୁ ନେଇ ନୁହେଁ । ପ୍ରଶ୍ନ ଉଠୁଛି, କିପରି ୬୭ ଜଣ ଛାତ୍ରଛାତ୍ରୀ ପୂରାମାର୍କ ୭୨୦ ନମ୍ବର ରଖି ଟପ୍ପର ହୋଇଛନ୍ତି? ଗୋଟିଏ ପରୀକ୍ଷା କେନ୍ଦ୍ରରୁ ୬ ଜଣ ଛାତ୍ରଛାତ୍ରୀ କିପରି ଟପ୍ପର ହୋଇପାରିଲେ? ଯାହାକୁ ନେଇ ମାମଲା ସପ୍ରିମକୋର୍ଟରେ ପହଞ୍ଚିଥିଲା । ଆବେଦନକାରୀଙ୍କ ଓକିଲ କହିଛନ୍ତି ମାମଲାରେ ତିନିଟି ପ୍ରସଙ୍ଗ ରହିଛି, ପ୍ରଥମେ ହେଉଛି ଗ୍ରେସ୍ ମାର୍କ, ଦ୍ୱିତୀୟରେ ପ୍ରଶ୍ନପତ୍ର ଲିକ୍, ତୃତୀୟରେ ପରୀକ୍ଷାରେ କେମିତି ପଡ଼ିଲା ଭୁଲ ପ୍ରଶ୍ନ?
- ‘ପରୀକ୍ଷାରେ କୌଣସି ଦୁର୍ନୀତି ହୋଇନି’
- ସ୍ୱଚ୍ଛତାର ସହ ପରୀକ୍ଷା ହୋଇଥିବା କହିଲେ ଶିକ୍ଷାମନ୍ତ୍ରୀ
ନିଟ୍ ପରୀକ୍ଷା ଯେତିକି କଷ୍ଟକର । ଫଳାଫଳ ପରେ ବିକ୍ଷୋଭ କରୁଥିବା ଛାତ୍ରଛାତ୍ରୀଙ୍କ ପ୍ରଶ୍ନ ମଧ୍ୟ ସେତିକି କଷ୍ଟକର । ତେବେ ରାୟ ଶୁଣାଇବା ବେଳେ ସୁପ୍ରିମକୋର୍ଟ ନିଟ୍ କାଉନସେଲିଂ ଉପରେ ରୋକ ଲାଗିବନି ବୋଲି କହିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରୀକ୍ଷାରେ କୌଣସି ଦୁର୍ନୀତି ହୋଇନାହିଁ, ପୂରା ସ୍ୱଚ୍ଛତାର ସହ ପରୀକ୍ଷା ହୋଇଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
- ବିବାଦ ପରେ ସଫେଇ ରଖିଲା ଏନଟିଏ
- ଗ୍ରେସ ମାର୍କକୁ ନେଇ ରଖିଲା ଜବାବ
ଏନଟିଏ ବିବାଦ ଘେରକୁ ଆସିବା ପରେ ନିଜ ଯୁକ୍ତି ରଖିଛି । କୁହାଯାଇଛି, ୨୦୨୩ରେ ୨୦.୩୮ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୨୦୨୪ରେ ୨୩.୩୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି, ପରୀକ୍ଷାର୍ଥୀଙ୍କ ସଂଖ୍ୟା ବଢୁଥିବାରୁ ଟପ୍ପର ବଢ଼ିବାରେ ଲାଗିଛି ।