ମହାରାଷ୍ଟ୍ର ରାଜନୀତିର ଭାଗ୍ୟ ନିର୍ଣ୍ଣୟ କରିବେ ସୁପ୍ରିମକୋର୍ଟ : ଫ୍ଲୋର ଟେଷ୍ଟ ହେବ କି ନାହିଁ ଶୁଣାଣି କରିବେ ସୁପ୍ରିମକୋର୍ଟ

110

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରୁଛି ମହାରାଷ୍ଟ୍ର ସରକାରଙ୍କ ଭାଗ୍ୟ । କାଲି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ ବୋଲି ରାଜ୍ୟପାଳ କହିବା ପରେ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଉଦ୍ଧବ ସରକାର । ଶିବସେନା କହିଛି, ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ ବେଆଇନ । ଫ୍ଲୋର ଟେଷ୍ଟ ପୂର୍ବରୁ ୧୬ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ମାମଲା ଶେଷ କରିବାକୁ ଦାବି କରିଛି ଶିବସେନା । ଆସନ୍ତାକାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ।

ଦିନ ୧୧ଟାରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ସଂଧ୍ୟା ୫ଟା ସୁଦ୍ଧା ଫ୍ଲୋର ଟେଷ୍ଟ ହେବ । ଗତକାଲି ବିଜେପି ନେତା ତଥା ପୂର୍ବର୍ତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରାଜ୍ୟପାଳଙ୍କୁ ଭେଟି ବିଧାନସଭାରେ ଉଦ୍ଧବ ସରକାର ବହୁମତ ପ୍ରମାଣ କରନ୍ତୁ ବୋଲି ଦାବି କରିଥିଲେ । ସେପଟେ ଆସନ୍ତା କାଲି ବହୁମତ ପରୀକ୍ଷା ପାଇଁ ଆଜି ଗୌହାଟିରୁ ଗୋଆ ଅଭିମୁଖେ ଯାଉଛନ୍ତି ବିଦ୍ରୋହୀ ଗୋଷ୍ଠୀ । ସେଠାରୁ କାଲି ସିଧା ବିଧାନସଭାରେ ପହଁଚିବେ । ଏହାରି ଭିତରେ ସୁପ୍ରିମକୋର୍ଟ ରାୟ ଉପରେ ରହିଛି ନଜର । ଆଉ କିଛି ସମୟ ପରେ ଆସିବ ସୁପ୍ରିୟ ରାୟ ।