ଲଖିମପୁର ହିଂସାକାଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ନାଲି ଆଖି । ୟୁପି ସରକାର ଉପରେ ବର୍ଷିଲେ ସର୍ବୋଚ୍ଚ ନାୟାଳୟ 

122

କନକ ବ୍ୟୁରୋ: ଲଖିମପୁର ହିଂସାକାଣ୍ଡରେ ସଠିକ୍ ଭାବେ ତଦନ୍ତ କରୁନି ଉତ୍ତରପ୍ରଦେଶ ସରକାର । ଘଟଣାକୁ ୧ ମାସରୁ ଅଧିକ ସମୟ ବିତିଯାଇଥିଲେ ବି ତଦନ୍ତ କରିବାରେ ବିଫଳ ୟୁପି ପୋଲିସ । ଯାହାକୁ ନେଇ ପୁଣିଥରେ ଉତ୍ତର ପ୍ରଦେଶ ସରକାର ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୟୁପି ସରକାର ଦ୍ୱାରା ଘଟଣାକୁ ନେଇ ପ୍ରସ୍ତୁତ କରାଯାଇଥିବା ଷ୍ଟାଟସ ରିପୋର୍ଟରେ କିଛି ତଥ୍ୟ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଷ୍ଟାର୍ଟସ୍ ରିପୋର୍ଟରେ କେବଳ ଅଧିକ ସାକ୍ଷୀଙ୍କୁ ରଖାଯାଇଛି । ଆଉ ଘଟଣାକୁ ନେଇ ଅନ୍ୟ କୌଣସି ତଥ୍ୟ ନାହିଁ । ଫଳରେ ସୁପ୍ରିମକୋର୍ଟ ୟୁପି ପୋଲିସ ଉପରେ ବର୍ଷିଛନ୍ତି । ପୁର୍ବରୁ ଲଖିମପୁର ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରି ସାରିଛନ୍ତି ସୁପ୍ରିମକୋର୍ଟ ।

ସୋମବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ.ଭି ରମଣା ଶୁଣାଣି କରି କହିଛନ୍ତି ଯେ, ୟୁପି ସରକାରଙ୍କ ପାଖରୁ ଏଭଳି ଆଶା କରାଯାଉନଥିଲା । ସେହିପରି ଘଟଣାର ତଦନ୍ତ କରୁଥିବା ଏସଆଇଟି ଟିମ୍ ଉପରେ ମଧ୍ୟ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଗତ ଅକ୍ଟୋବର ମାସ ୩ ତାରିଖରେ ଲକ୍ଷିମପୁର କ୍ଷେରି ଠାରେ ହେଇଥିବା ହିଂସାକାଣ୍ଡରେ ୮ ଜଣ ଙ୍କ ଜୀବନ ଯାଇଥିଲା ।  ସେଥିରେ ୪ ଜଣ କୃଷକ ଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି କୃଷକଙ୍କ ଉପରେ ଚଢିଯିବା ଫଳରେ ୪ କୃଷକଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ଆଶିଷ ମିଶ୍ରା ଗିରଫ ହୋଇ ପୋଲିସ ହେପାଜତରେ ଅଛନ୍ତି । ତେବେ ମାମଲାର ଯାଞ୍ଚ ସଠିକ୍ ଭାବେ କରାଯାଉ ନଥିବା କହିଛନ୍ତି ସୁପ୍ରିମକୋର୍ଟ ।

ବହୁଚର୍ଚ୍ଚିତ ଲଖିମପୁର ଖେରୀ ଘଟଣା ଉପରେ ଏବେ ମଧ୍ୟ ରାଜନୈତିକ ହଲଚଲ ଜାରି ରହିଛି । ଦେଖିବାକୁ ବାକି ରହିଲା ଏହି ମାମଲାରେ ଆଗକୁ ନ୍ୟାୟାଳୟଙ୍କ ରାୟ କଣ ରହୁଛି । ଏହି ମାମଲାର ଶୁଣାଣି ଆଗାମୀ ଶୁକ୍ରବାରରେ କରାଯିବ ।