କୋଟା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ସର୍ବୋଚ୍ଚ ନ୍ୟାୟାଳୟ: କହିଲେ କୋଟା ବ୍ୟବସ୍ଥାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବଜାୟ ରଖିବାର ନାହିଁ ଆବଶ୍ୟକା

455

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଉଚ୍ଚଜାତିର ଗରିବଙ୍କୁ ୧୦ ପ୍ରତିଶତ କୋଟା ନିଷ୍ପତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, କୋଟା ବ୍ୟବସ୍ଥାକୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ଜାରି ରଖିବା ଆଦୌ ଆବଶ୍ୟକ ନୁହେଁ । ଏହା ବଦଳରେ ଜାତିହୀନ ଓ ବର୍ଗହୀନ ସମାଜ ପାଇଁ ବାଟ ଫିଟିବା ଦରକାର । ଆଉ ଏହା ଉପରେ ସମୟ ନିର୍ଦ୍ଧାରଣ କରାଯିବା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱ ଦେଇଛନ୍ତି । ଆର୍ଥିକ ଅନଗ୍ରସର ବର୍ଗଙ୍କୁ କୋଟା ପାଇଁ ୧୦୩ତମ ସାମ୍ବିଧାନିକ ସଂଶୋଧନର ବୈଧତାକୁ ବଜାୟ ରଖିଥିଲେ ଜଷ୍ଟିସ୍ ବେଲା ଏମ ତ୍ରିବେଦୀ ଓ ଜେବି ପାର୍ଦିୱାଲା ।

କ’ଣ କହିଲେ ଜଷ୍ଟିସ୍ ଏମ୍ ତ୍ରିବେଦୀ?
– ସଂରକ୍ଷଣ ନୀତିର ଏକ ସମୟସୀମା ରହିବା ଆବଶ୍ୟକ
– ସ୍ୱାଧୀନତାର ୭୫ ବର୍ଷ ପୂରିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ତାହା ମିଳିପାରିନାହିଁ
– ଭାରତରେ ବର୍ଷ ବର୍ଷ ଧରି ଚାଲୁଥିବା ଜାତିପ୍ରଥା ହିଁ ଦେଶରେ ସଂରକ୍ଷଣ ବ୍ୟବସ୍ଥା ଉତ୍ପତି ପାଇଁ ଦାୟୀ ବୋଲି କୁହାଯାଇପାରିବ ନାହିଁ
– ଏସସି, ଏସଟି ଏବଂ ଓବିସି ବର୍ଗଙ୍କ ସହ ହେଉଥିବା ଅନ୍ୟାୟକୁ ସୁଧାରିବା ଦରକାର
– ସେମାନଙ୍କୁ ଉଚ୍ଚ ବର୍ଗଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସମାନ ସୁଯୋଗ ପ୍ରଦାନ କରାଯାଉ

କ’ଣ କହିଲେ ଜଷ୍ଟିସ୍ ପାର୍ଦିୱାଲା?
– ସଂରକ୍ଷଣ ପ୍ରଦାନ କଲେ ସବୁ ସୁବିଧା ମିଳିଯିବନି
– ଏହା ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପାଇବାର ଏକ ମାଧ୍ୟମ
– ଏହାକୁ ନ୍ୟସ୍ତ ସ୍ୱାର୍ଥ ହେବାକୁ ଦିଆଯିବା ଉଚିତ୍ ନୁହେଁ
– ଶିକ୍ଷାର ବିକାଶ ଓ ପ୍ରସାର ଦ୍ୱାରା ପଛୁଆ ବର୍ଗର ସଦସ୍ୟମାନେ ଅଧିକ ସଂଖ୍ୟାରେ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ପାଇଛନ୍ତି
– ଯଦି ପଛୁଆ ବର୍ଗକୁ ହଟାଇ ଦିଆଯିବ, ତେବେ ସହାୟତା ଆବଶ୍ୟକ କରୁଥିବା ବର୍ଗ ପ୍ରତି ଧ୍ୟାନ ଦିଆଯାଇପାରିବ

ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଳିତ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ସଂରକ୍ଷଣ ଦେବାକୁ ବିରୋଧ କରିଥିଲେ । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଯେତେବେଳେ ଏହି ପ୍ରସଙ୍ଗରେ ଶୁଣାଣି କରୁଥିଲେ, ସେହି ସମୟରେ ପ୍ରଧାନ ବିଚାରପତି ଏହା ଉପରେ ଅସହମତି ବ୍ୟକ୍ତ କରିଥିଲେ ।

ଆର୍ଥିକ ପଛୁଆ ବର୍ଗ ଲୋକଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସଂରଣକ୍ଷ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । କିନ୍ତୁ ଏ ପ୍ରସଙ୍ଗରେ ବିଭାଜିତ ମତ ଦେଖିବାକୁ ମିଳିଥିଲା । ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଳିତ ଓ ଜଷ୍ଟିସ୍ ଭଟ୍ଟ ସମ୍ବିଧାନ ସଂଶୋଧନ ବିରୋଧରେ ମତ ଦେଇଥିଲେ । ତେବେ ଜଷ୍ଟିସ୍ ଦିନେଶ ମାହେଶ୍ୱରୀ, ଜଷ୍ଟିସ୍ ଏମ୍ ତ୍ରିବେଦୀ ଏବଂ ଜଷ୍ଟିସ୍ ଜେବି ପାର୍ଦିୱାଲା ସପକ୍ଷରେ ରାୟ ଶୁଣାଇଥିଲେ । ଫଳରେ ୩-୨ରେ ସମ୍ବିଧାନ ସଂଶୋଧନ ବୈଧ ବୋଲି ଗ୍ରହଣ କରାଯାଇଥିଲା ।