କନକ ବ୍ୟୁରୋ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ନେତା ଅମର ଅଟନ୍ତି ଏବଂ ତାଙ୍କୁ ନ୍ୟାୟିକ ନିର୍ଦ୍ଦେଶ ମାଧ୍ୟମରେ ସ୍ୱୀକୃତି ଦେବାର ଆବଶ୍ୟକତା ନାହିଁ ବୋଲି ଶୁକ୍ରବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ବୋଷଙ୍କୁ ‘ଦେଶର ରାଷ୍ଟ୍ରପୁତ୍ର’ ଘୋଷଣା ପାଇଁ ନିର୍ଦ୍ଦେଶ ଦେବା ଏବଂ ତାଙ୍କ ନିଖୋଜ କିମ୍ବା ମୃତ୍ୟୁ ବିଷୟରେ ସତ ପ୍ରକାଶ ନ କରିବା ପାଇଁ କଂଗ୍ରେସଠାରୁ କ୍ଷମା ପ୍ରାର୍ଥନା ଦାବି ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ କୋର୍ଟ ମନା କରିଦେଇଛନ୍ତି। ଦେଶର ସ୍ୱାଧୀନତା ସଂଗ୍ରାମରେ ବୋଷଙ୍କ ଭୂମିକାକୁ ସ୍ୱୀକାର କରିବା ଲାଗି ଏକ ଘୋଷଣାନାମା ନିମନ୍ତେ ନ୍ୟାୟିକ ଆଦେଶ ଅନୁଚିତ ହେବ, କାରଣ ତାଙ୍କ ଭଳି ଜଣେ ନେତାଙ୍କ ପାଇଁ କୋର୍ଟର ମାନ୍ୟତା ଆବଶ୍ୟକ ହୋଇ ନ ପାରେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

Advertisment

ନେତାଜୀଙ୍କୁ କିଏ ନ ଜାଣେ? ଦେଶର aସମସ୍ତେ ତାଙ୍କୁ ଏବଂ ତାଙ୍କ ଅବଦାନକୁ ଜାଣନ୍ତି। ତାଙ୍କ ମହାନତା ବିଷୟରେ ଅଦାଲତରୁ କୌଣସି ଘୋଷଣାର ଆବଶ୍ୟକତା ନାହିଁ। ତାଙ୍କ ଭଳି ନେତା ଅମର ଅଟନ୍ତି ବୋଲି ଜଷ୍ଟିସ୍ ସୂର୍ୟ୍ୟକାନ୍ତ ଓ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।

ବୋଷଙ୍କ ନେତୃତ୍ୱାଧୀନ ଆଜାଦ ହିନ୍ଦ ଫୌଜ ବ୍ରିଟିସଠାରୁ ସ୍ୱାଧୀନତା ହାସଲ କରିଥିଲା ବୋଲି ଘୋଷଣା କରିବାକୁ କଟକର ପିନାକପାଣି ମହାନ୍ତିଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହା କହିଛନ୍ତି। ବୋଷଙ୍କ ଅବଦାନକୁ ସ୍ୱୀକୃତି ଦେବାରେ କଂଗ୍ରେସର ଭୂମିକାକୁ ନେଇ ମହାନ୍ତି ପ୍ରଶ୍ନ ଉଠାଇବା ସହ କଂଗ୍ରେସ ସରକାର ତାଙ୍କ ନିଖୋଜ/ମୃତ୍ୟୁର ଫାଇଲକୁ ଚାପି ଦେଇଥିବା ଅଭିଯୋଗ କରିଥିଲେ। ଜାନୁଆରି ୨୩ରେ ବୋଷଙ୍କ ଜନ୍ମଦିନକୁ କେନ୍ଦ୍ର ସରକାର ‘ଜାତୀୟ ଦିବସ’ ଏବଂ ନେତାଜୀଙ୍କୁ ‘ରାଷ୍ଟ୍ରପୁତ୍ର’ ଭାବେ ଘୋଷଣା କରିବାକୁ ଜନସ୍ବାର୍ଥ ମାମଲାରେ ଦାବି କରାଯାଇଥିଲା।