ଅଣ ବିଜେପି ଶାସିତ ରାଜ୍ୟର ରାଜ୍ୟପାଳଙ୍କ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ: ତାଗିଦ୍ କରି ମୁଖ୍ୟ ବିଚାରପତି କହିଲେ ତୁମେ ନିର୍ବାଚିତ ପ୍ରତିନିଧି ନୁହେଁ

318

କନକ ବ୍ୟୁରୋ: ଅଣ ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳ ଏବଂ ସରକାରଙ୍କ ମଧ୍ୟରେ ବିବାଦ ଭିତରେ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟପାଳଙ୍କୁ ତାଗିଦ୍ କରି ତୁମେ ନିର୍ବାଚିତ ପ୍ରତିନିଧି ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ବିଲ ମଞ୍ଜୁରୀରେ ରାଜ୍ୟପାଳ ବିଳମ୍ବ କରୁଥିବା ଅଭିଯୋଗ ଆଣି ସୁପ୍ରିମକୋର୍ଟ ଯାଇଛନ୍ତି କେରଳ, ପଞ୍ଜାବ, ତାମିଲନାଡୁ ସରକାର । ମାମଲା ଶୁଣାଣି କରି ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ କହିଛନ୍ତି, ବିଧାନସଭାରେ ପାରିତ ହୋଇଥିବା ମୁଖ୍ୟ ବିଲଗୁଡିକୁ ରାଜ୍ୟପାଳ ମଞ୍ଜୁରୀ ଦେଉନାହାଁନ୍ତି । ବିଶେଷକରି ଅଣ ବିଜେପି ଶାସିତ ରାଜ୍ୟରେ ଏଭଳି ଦେଖିବାକୁ ମିଳୁଛି । କିନ୍ତୁ ରାଜ୍ୟପାଳମାନେ ଭୁଲିଯିବା ଉଚିତ୍ ନୁହେଁ କି ସେମାନେ ନିର୍ବାଚିତ ପ୍ରତିନିଧି ନୁହଁନ୍ତି ।

ପଶ୍ଚିମବଙ୍ଗ ଠୁ ଆରମ୍ଭ କରି ପଞ୍ଜାବ ଯାଏ ଅଧିକାଂଶ ଅଣ ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳଙ୍କ ସହ ସରକାରଙ୍କ ପଡୁନାହିଁ । ରାଜ୍ୟପାଳ ଏକ ନିରପେକ୍ଷ ପଦବୀ । କିନ୍ତୁ କେନ୍ଦ୍ର ସରକାର ସେମାନଙ୍କୁ ନିଯୁକ୍ତି ଦେଉଥିବାରୁ ସେମାନେ କେନ୍ଦ୍ର ପ୍ରରୋଚନାରେ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ।

ରାଜ୍ୟ ସରକାରଙ୍କ ଅଭିଯୋଗର ଣୁଣାଣି କରି କାହିଁକି ମାମଲା ସୁପ୍ରିମକୋର୍ଟ ଆସୁଛି ବୋଲି ରାଜ୍ୟପାଳଙ୍କୁ ପ୍ରଶ୍ନ କରିଛନ୍ତି ମୁଖ୍ୟ ବିଚାରପତି । ଯେପର୍ଯ୍ୟନ୍ତ ମାମଲା ସୁପ୍ରିମକୋର୍ଟ ନ ଆସୁଛି ସେପର୍ଯ୍ୟନ୍ତ ରାଜ୍ୟପାଳ ବିଲକୁ ମଞ୍ଜୁରୀ ଦେଉନାହାଁନ୍ତି । ଏହା ବନ୍ଦ ହେବା ଦରକାର ବୋଲି କହିଛନ୍ତି କୋର୍ଟ । ଏଥିସହ ସର୍ବୋଚ୍ଚ କୋର୍ଟ ସୋଲିସିଟର ଜେନେରାଲ ତୁସାର ମେହେଟାଙ୍କୁ ପଞ୍ଜାବ ରାଜ୍ୟପାଳ ନେଇଥିବା ନିଷ୍ପତ୍ତିର ରେକର୍ଡ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କିନ୍ତୁ ସୋଲିସିଟର ଜେନେରାଲ କହିଛନ୍ତି, ରାଜ୍ୟପାଳ ଠିକ୍ ନିଷ୍ପତି ନେଉଛନ୍ତି, ରାଜ୍ୟ ସରକାର ଅନାବଶ୍ୟକ ଭାବେ ମକଦ୍ଦମା କରୁଛନ୍ତି । ପଞ୍ଜାବ ସରକାରଙ୍କ ଓକିଲ କହିଛନ୍ତି, ରାଜସ୍ୱ ପରିଚାଳନା, ଜିଏସଟି ସଂଶୋଧନ, ଗୁରୁଦ୍ୱାର ପରିଚଳନା ଭଳି ଗୁରୁତ୍ୱପୂର୍ଣ୍ଣ ବିଲକୁ ରାଜ୍ୟପାଳ ମଞ୍ଜୁରୀ ଦେଉନାହାଁନ୍ତି । ଗତ ଜୁଲାଇ ମାସରୁ ଏଭଳି ବିଲ ପଡିରହିଥିବାରୁ ଶାସନ ବ୍ୟବସ୍ଥା ପ୍ରଭାବିତ ହେଉଛି ।

ପଞ୍ଜାବର ମୋଟ ୭ ଟି ବିଲ ମଞ୍ଜୂୁରୀ ଅପେକ୍ଷାରେ ଅଛି । ସେଥିରୁ ୪ ଟି ବିଧାନସଭାରେ ପାସ୍ ହୋଇଥିବା ବେଳେ ବାକି ୩ଟି ମନି ବିଲ, ଯାହା ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ଆଗତ ହେବ । ତେବେ ମାମଲାର ପରବର୍ତି ଶୁଣାଣି ଶୁକ୍ରବାର କରିବାକୁ ଧାର୍ଯ୍ୟ କରିଛନ୍ତି କୋର୍ଟ ।