ଚାଷୀ ଆନ୍ଦୋଳନକୁ ବଡ ରାଷ୍ଟ୍ରୀୟ ପ୍ରସଙ୍ଗ କହି ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ । ସମସ୍ୟାର ସମାଧାନ ପାଇଁ କମିଟି ଗଠନ କରିବେ ସର୍ବୋଚ୍ଚ ଅଦାଲତ । 

132

କନକ ବ୍ୟୁରୋ : ୨୧ ଦିନ ଧରି ଦିଲ୍ଲୀ ସୀମାରେ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ସରକାର ଓ ଚାଷୀନେତାଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ପରେ ବି ସମାଧାନର ବାଟ ଫିଟୁନାହିଁ । ଏହାରି ଭିତରେ ସୁପ୍ରିମକୋର୍ଟରେ ହୋଇଛି ଶୁଣାଣୀ । କୋର୍ଟ କହିଛନ୍ତି, ଏହି ସମସ୍ୟାର ତୁରନ୍ତ ସମାଧାନ ହେବା ଦରକାର । ଏଥିପାଇଁ ଏକ ପ୍ୟାନେଲ ଗଠନ କରାଯିବ । ଏହା ଏକ ବଡ଼ ରାଷ୍ଟ୍ରୀୟ ପ୍ରସଙ୍ଗ ହୋଇଥିବାରୁ ସହମତି ଭିତ୍ତିରେ ସମାଧାନ ହେବା ଜରୁରୀ ।

ଚାଷୀ ଆନ୍ଦୋଳନର ସମାଧାନ ପାଇଁ ସରକାର ଓ ଚାଷୀ ପ୍ରତିନିଧିଙ୍କୁ ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି କମିଟି ଗଠନ କରାଯିବ । ସୁପ୍ରିମକୋର୍ଟ ଦ୍ୱାରା ଗଠିତ କମିଟି ସବୁ ଦିଗକୁ ଆଖି ଆଗରେ ରଖି ସମାଧାନର ରାସ୍ତା ବାହାର କରିବ ବୋଲି ଆଶା ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦେଶବ୍ୟାପୀ ଚାଷୀ ସଂଗଠନ ପ୍ରତିନିଧିଙ୍କୁ କମିଟିରେ ସାମିଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପକ୍ଷ ରଖିବାକୁ ଚାଷୀ ସଂଗଠନକୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି ।

ଗତ ୨୧ ଦିନ ହେବ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଚାଷୀ ମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି । ସୀମାରେ ଆନ୍ଦୋଳନରତ ଚାଷୀଙ୍କୁ ହଟାଇବା ମାମଲାର ଶୁଣାଣୀ କରି କୋର୍ଟ କେନ୍ଦ୍ର ସରକାର, ପଂଜାବ ଓ ହରିୟାଣା ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

ବିଚାରପତି ଏସଏ ବୋବଡେ, ବିଚାରପତି ଏଏସ ବୋପନ୍ନା ଓ ବିଚାରପତି ଭି ରାମସୁବ୍ରମଣ୍ୟମ ମାମଲାର ଶୁଣାଣୀ କରିଛନ୍ତି । ଗୁରୁବାର ଦିନ ପୁଣି ମାମଲାର ଶୁଣାଣୀ ହେବ । ଯେ କୌଣସି ପରିସ୍ଥିତିରେ ବି ହେଉ, ଆଇନ୍ ପ୍ରତ୍ୟାହାର ନହେଲେ ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି କୃଷକ କହୁଛନ୍ତି । ସେପଟେ ସରକାର କହୁଛନ୍ତି, ଆଇନ୍ର ପ୍ରତ୍ୟେକ ଧାରା ଉପରେ ଚାଷୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଏବଂ ନୂଆ କୃଷି ଆଇନକୁ ନେଇ ବିରୋଧୀ ଅପପ୍ରଚାର କରୁଥିବା ସରକାର କହୁଛନ୍ତି ।

ସରକାର ଓ ଚାଷୀଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ଏକପ୍ରକାର ବନ୍ଦ ହୋଇଯାଇଥିବା ବେଳେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, ମାମଲା ସମାଧାନର ନୂଆ ବାଟ ଫିଟାଇଛି । ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ନେଇ ଆଶା କରାଯାଉଛି ।