କନକ ବ୍ୟୁରୋ: ନିଟ୍- ପିଜି ଓ ୟୁଜି ନାମଲେଖାକୁ ନେଇ କିଛି ଦିନ ହେବ ଯେଉଁ ବିବାଦ ଲାଗି ରହିଥିଲା ତାହା ଉପରେ ଏକପ୍ରକାର ପୂର୍ଣ୍ଣଛେଦ ପଡିଛି । ନାମଲେଖା ପାଇଁ କାଉଁସେଲିଂ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି କରି ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ଏଏସ ବୋପାନ୍ନା ରାୟ ଅନୁମତି ଦେଇଛନ୍ତି । ନାମଲେଖାରେ ଓବିସି ଏବଂ ଇଡବ୍ଲ୍ୟୁଏସଙ୍କୁ ପୂର୍ବରୁ ଦିଆଯାଉଥିବା ସଂରକ୍ଷଣକୁ ବଳବତର ରଖିବା ପାଇଁ ରାୟ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି ନିଟ୍-ପିଜି ୨୦୨୧-୨୨ ଶିକ୍ଷାବର୍ଷ ନାମଲେଖା ପାଇଁ ୨୦୧୯ରେ ପାଣ୍ଡେ କମିଟି କରିଥିବା ସୁପାରୀଶକୁ ଆମେ ଗ୍ରହଣ କରୁଛୁ । ଅର୍ଥାତ ସର୍ବଭାରତୀୟ କୋଟାରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣକୁ ମଂଜୁରୀ ଦେଇଛନ୍ତି ସୁପ୍ରିମକୋର୍ଟ  । ଏଥିସହ ଇଡବ୍ଲ୍ୟୁଏସକୁ ୧୦ ପ୍ରତିଶତ ସଂରକ୍ଷଣକୁ ମଂଜୁରୀ ମିଳିଛି ।

Advertisment

ଜୁଲାଇ ୨୯ରେ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରି ମେଡିକାଲ ଆଡମିସନ ପାଇଁ ଆୟୋଜିତ ନିଟ୍ ପରୀକ୍ଷାରେ ସର୍ବଭାରତୀୟ କୋଟାରେ ଓବିସି ବର୍ଗକୁ ୨୭ % ଓ ଆର୍ଥିକ ସ୍ତରରେ ଦୁର୍ବଳ ବର୍ଗକୁ ୧୦ % ସଂରକ୍ଷଣ ଦେବାକୁ ଘୋଷଣା କରିଥିଲେ ।

ଅର୍ଥନୀତିକ ଅନଗ୍ରସର ବର୍ଗ ପାଇଁ ପିତାମାତାଙ୍କ ବାର୍ଷିକ ଆୟକୁ ସବାଧିକ ୮ଲକ୍ଷ ରଖାଯାଇଥିଲା । ଏହାକୁ ବିରୋଧ କରି ସର୍ବାଧିକ ଅଢ଼େଇ ଲକ୍ଷ କରିବାକୁ ଆବେଦନକାରରୀ ଦର୍ଶାଇ ଥିଲେ । ମାମଲା କୋର୍ଟରେ ବିଚାରାଧିନ ଥିବାରୁ ଚଳିତ ବର୍ଷ ପାଇଁ ନାମଲେଖା କାଉଁସେଲିଂ ହୋଇପାରିନଥିଲା । କରୋନା ସମୟରେ ରେସିଡେଂଟ ଡାକ୍ତରଙ୍କ ଉପରେ ଚାପ ପଡୁଥିବା ଦର୍ଶାଇ ତୁରନ୍ତ ନାମଲେଖା କାଉନସେଲିଂ କରିବାକୁ  କିଛି ଦିନ ହେବ ଦେଶବ୍ୟାପି ଆନ୍ଦୋଳନକୁ ଓହ୍ଲାଇଥିଲା ରେସିଡେଂଟ ଡାକ୍ତର ଆସୋସିଏସନ ।

କେନ୍ଦ୍ର ସରକାରଙ୍କ ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଓବିସିଙ୍କ ପାଇଁ ୨୭ % ଓ ଇଡବ୍ଲ୍ୟୁଏସ ବର୍ଗ ପାଇଁ ୧୦ ସଂରକ୍ଷଣ କରାଯାଇଛି । ଜାନୁଆରୀ ୨୦୧୯ରୁ ଏହା ଲାଗୁ ହୋଇଛି । ୟୁପିଏସସିରେ ବି ଏହି କୋଟା ଦିଆଯାଉଛି । ସିଟ୍ ସଂଖ୍ୟା ୨୫ ପ୍ରତିଶତ ବଢ଼ାଇ ଦିଆଯାଇଥିବାରୁ ସାଧାରଣ ବର୍ଗଙ୍କର କୌଣସି କ୍ଷତି ହେଉ ନାହିଁ । ତେବେ ଏହି ମାମଲାର ପରବର୍ତି ଶୁଣାଣି ମାର୍ଚ୍ଚ ମାସରେ ହେବ ।