କନକ ବ୍ୟୁରୋ : ଟିଆର୍ପି ଦୁର୍ନୀତିରେ ମୁମ୍ବାଇ ପୁଲିସ୍କୁ ଚ୍ୟାଲେଞ୍ଜ୍ କରି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ରିପବ୍ଲିକ୍ ଟିଭି ଓ ତା’ର ସଂପାଦକ ଅର୍ଣ୍ଣବ ଗୌସ୍ୱାମୀ କରିଥିବା ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମ୍କୋର୍ଟରେ ଆବେଦନ କରିବା ପୂର୍ବରୁ ପ୍ରଥମେ ବମ୍ବେ ହାଇକୋର୍ଟରେ ଆବେଦନ କରନ୍ତୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ୩ ଜଣ ବିଶିଷ୍ଟ ଏକ ଖଣ୍ଡପୀଠରେ କୁହଯାଇଛି।
ସୁପ୍ରିମ୍କୋର୍ଟ ଅର୍ଣ୍ଣବଙ୍କୁ କହିଛନ୍ତି, ‘ତୁମ ଅଫିସ୍ ଓର୍ଲିଠାରେ ଅଛି। ସେଇ ପାଖାପାଖି ଅଞ୍ଚଳରେ ବମ୍ବେ ହାଇକୋର୍ଟ ଅଛି। ପ୍ରଥମେ ହାଇକୋର୍ଟ ଉପରେ ବିଶ୍ୱାସ ରହିବା ଉଚିତ। ଆଗ ସେଠାରେ ଆବେଦନ କରନ୍ତୁ।’ ଖଣ୍ଡପୀଠର ନେତୃତ୍ୱ ନେଇଥିବା ଜଷ୍ଟିସ୍ ଡି.ଚନ୍ଦ୍ରଚୁଡ ଗଣମାଧ୍ୟମରେ ପୁଲିସ୍ମାନେ ଦେଉଥିବା ସେମାନଙ୍କ ବୟାନକୁ ନେଇ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଜିକାଲି ପୁଲିସ୍ କମିସନ୍ରମାନେ ଯେଉଁଭଳି ଗଣମାଧ୍ୟମରେ ସାକ୍ଷାତ୍କାର ଦେଉଛନ୍ତି ତାହାକୁ ନେଇ ସେ ଅତ୍ୟନ୍ତ ଚିନ୍ତିିତ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ମୁମ୍ବାଇ ପୁଲିସ କମିସନର ପରମବୀର ସିଂହ ନିକଟ ଅତୀତରେ ଟିଆର୍ପି ଦୁର୍ନୀତି ମାମଲାର ପର୍ଦ୍ଦାଫାସ କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀ କରି ପରମବୀର ସିଂହ ଟିଆର୍ପି ଦୁର୍ନୀତି ସଂକ୍ରାନ୍ତରେ କହିଥିଲେ। ଏହି ମାମଲାରେ ଅନ୍ୟ ଦୁଇଟି ଚ୍ୟାନେଲ୍ ସମେତ ରିପବ୍ଲିକ୍ ଟିଭିର ସଂପାଦକ ଅର୍ନବ ଗୌସ୍ୱାମୀଙ୍କୁ ମଧ୍ୟ ସମନ୍ ପଠାଯାଇଥିଲା। ତେବେ ରିପବ୍ଲିକ୍ ଟିଭି ଏଭଳି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲା। ରିପବ୍ଲିକ୍ ସମେତ ୩ ଚ୍ୟାନେଲ୍ ପାଇଁ ବିଜ୍ଞାପନ ପରିଚାଳନା କରୁଥିବା ସଂସ୍ଥାର ଅଧିକାରୀମାନଙ୍କୁ ମଧ୍ୟ ସମନ୍ କରାଯାଇଥିଲା। ଅନ୍ୟପକ୍ଷେ ମୁମ୍ବାଇ ପୁଲିସ ମଧ୍ୟ ରିପବ୍ଲିକ୍ ଟିଭି ବିରୋଧରେ ପ୍ରମାଣ ଯୋଗାଡ଼ କରିଥିଲା।