ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଶୁଣାଣି କରି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । ଚୂଡାନ୍ତ ନିଷ୍ପତି ନଆସିବା ଯାଏଁ ଅଟକାଇ ହେବ କି କୃଷି ଆଇନ? 

103

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ହୋଇଥିଲା ଶୁଣାଣି । ଏହା ଉପରେ ଥିଲା ସାରା ଦେଶର ନଜର । ଏହାରି ଭିତରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ପରାମର୍ଶ ସହ ପ୍ରଶ୍ନ କରିଛନ୍ତି । ମାମଲାର ଶୁଣାଣି ନସରିବା ଯାଏଁ ସ୍ଥଗିତ ରହିପାରିବକି ନୂଆ କୃଷି ଆଇନ । କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ ସର୍ବୋଚ୍ଚ ଅଦାଲତଙ୍କ ଏହି ପରାମର୍ଶକୁ ଅଗ୍ରାହ୍ୟ କରିଛନ୍ତି ।

ସୁପ୍ରିମକୋର୍ଟରେ ଚାଷୀ ଆନ୍ଦୋଳନ ମାମଲାର ଶୁଣାଣି ଉପରେ ଗୁରୁବାର ରହିଥିଲା ସାରା ଦେଶର ନଜର । ଆଉ ଏହା ଭିତରେ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ କିଛି ପରାମର୍ଶ ଦେଇଛନ୍ତି । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ କେକେ ବେନୁଗୋପାଲଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇ କହିଛନ୍ତି ଚୂଡାନ୍ତ ଫୈସଲା ନଆସିବା ଯାଏଁ କାର୍ଯ୍ୟକାରୀ କରାନଯାଉ ନୂଆ କୃଷି ଆଇନ । ଯାହାକୁ ନେଇ ତାଜା ହୋଇଛି ରାଜନୀତି ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

   ମାମଲାର ଶୁଣାଣି ନସରିବା ଯାଏଁ ସ୍ଥଗିତ ରହୁ ନୂଆ କୃଷି ଆଇନ

   ଆଟର୍ଣ୍ଣି ଜେନେରାଲଙ୍କ ଠାରୁ ମତ ଲୋଡିଲେ ସର୍ବୋଚ୍ଚ ଅଦାଲତ

   ସୁପ୍ରିମକୋର୍ଟଙ୍କ ପରାମର୍ଶକୁ ଆଟର୍ଣ୍ଣି ଜେନେରାଲଙ୍କ ଅଗ୍ରାହ୍ୟ

   ଆଟର୍ଣ୍ଣି ଜେନେରାଲଙ୍କ ଯୁକ୍ତି ଏପରି ହେଲେ, ମାମଲା ସରିବନି

   ଆଲୋଚନାକୁ ଆସିବେନି ଚାଷୀ, ଲାଗୁ ହୋଇପାରିବନି ନୂଆ କୃଷି ଆଇନ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ ଏ ବୋବଡେ, ଜଷ୍ଟିସ୍ ଏଏସ ବୋପନ୍ନା ଏବଂ ଜଷ୍ଟିସ୍ ଭି ରାମସୁବ୍ରମଣ୍ୟମ୍ ଏହି ମାମଲାର ଶୁଣାଣି କରିଛନ୍ତି । କେନ୍ଦ୍ରକୁ ପରାମର୍ଶ ଦେବା ଭିତରେ ଆଗକୁ ଚାଷୀଙ୍କ ପକ୍ଷ ଜାଣିବାକୁ ଚାହିଁଛନ୍ତି କୋର୍ଟ । ଏହି ଅବସରରେ ସୁପ୍ରିମକୋର୍ଟ କହିଛନ୍ତି ଆନ୍ଦୋଳନ କରିବା ଚାଷୀଙ୍କ ହକ୍ , କେହି ଏହାକୁ ରୋକି ପାରିବେନି । କିନ୍ତୁ ଆନ୍ଦୋଳନ ଯୋଗୁଁ କାହାର ସମସ୍ୟା ନହୁଏ, ଏହା ଦେଖିବା ଜରୁରୀ । ଏହା ସହିତ ସର୍ବୋଚ୍ଚ ଅଦାଲତ କହିଛନ୍ତି ଚାଷୀଙ୍କ ମତ ଶୁଣିସାରିବା ପରେ ଗଠନ ହେବ କମିଟି । ଆସନ୍ତା ସପ୍ତାହରେ ହେବ ଆଗାମୀ ଶୁଣାଣି ।