ପରିକ୍ରମା ପ୍ରକଳ୍ପ ବିରୋଧରେ ହୋଇଥିବା ପିଟିସନ ସୁପ୍ରିମକୋର୍ଟରେ ରଦ୍ଦ। ଆବେଦନକାରୀଙ୍କୁ ଲକ୍ଷେ ଟଙ୍କା ଲେଖାଁଏ ଫାଇନ୍।

99

କନକ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ଫୈସଲା ଆସିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଦୁଇଟି ଆବେଦନକୁ ରଦ୍ଦ କରିଛନ୍ତି ସର୍ବେଚ୍ଚ ନ୍ୟାୟାଳୟ। ଏହାସହ ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ବିଜୟ ହୋଇଛି । ଏସଏଲପିକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ମାମଲାକୁ ଖାରଜ କରିଦେବା ସହ ଦୁଇ ଆବେଦନକାରୀଙ୍କୁ ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ନିଜସ୍ୱ ପ୍ରଚାର ପାଇଁ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା କୋର୍ଟ କହିଛନ୍ତି । ତେବେ ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ରୋକଯାଉଥିବା କୋର୍ଟ ନିଜ ରାୟରେ କହିଛନ୍ତି।

ଗତକାଲି ସବୁ ପକ୍ଷକୁ ଶୁଣିବା ପରେ ଦୁଇ ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ । ବେଆଇନ ନିର୍ମାଣ ଓ ଖନନ ହୋଇଥିବା ଅଭିଯୋଗ ହୋଇଥିଲା । ୨ଜଣ ବ୍ୟକ୍ତି ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ୍ ପିଟିସନ ଦାୟର କରିଥିଲେ । ତେବେ ରହିତାଦେଶ ଏଡାଇବାକୁ ସରକାର କ୍ୟାଭିଏଟ୍ କରିଥିଲେ । ଏବେ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ପରେ ଜାରି ରହିବ ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ । ଭକ୍ତଙ୍କ ସୁବିଧା ପାଇଁ ନିର୍ମାଣ କାମ ହେଉଥିବା ସୁପ୍ରିମକୋର୍ଟରେ ଦର୍ଶାଇଥିଲେ ଓଡ଼ିଶା ସରକାର । ଶୌଚାଳୟ, ପ୍ରତୀକ୍ଷା କେନ୍ଦ୍ର, ଇଲେକ୍ଟ୍ରିକ ଓ କ୍ଲକ ରୁମ ନିର୍ମାଣ ହେଉଥିବା କହିଥିଲେ । ଏନଏମଏରୁ ଏନଓସି ଅଣାଯାଇଥିବା ଯୁକ୍ତି ରଖିଥିଲେ ସରକାର । ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ଆଡଭୋକେଟ ଜେନେରାଲ ଅଶୋକ ପରିଜା । ରାଜ୍ୟ ସରକାରଙ୍କ ଯୁକ୍ତିରେ ସନ୍ତୁଷ୍ଟ ହୋଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ମାମଲା ଖାରଜ କରିଥିବା କୋର୍ଟ କହିଛନ୍ତି ।

ସେପଟେ ଜନସ୍ୱାର୍ଥ ମାମଲା ନେଇ କୋର୍ଟ କହିଛନ୍ତି ଯେ, ଲୋକେ ଏବେ ଏକାଧିକ ଜନସ୍ୱାର୍ଥ ମାମଲା ରୁଜୁ କରୁଛନ୍ତି । ନିଜସ୍ୱ ପ୍ରଚାର କିମ୍ବା ବ୍ୟକ୍ତିଗତ ଉଦ୍ଦେଶ୍ୟ ରଖି ଏଭଳି କରାଯାଇଛି । କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଏଭଳି ମାମଲା ବନ୍ଦ ହେବା ଉଚିତ ଏବଂ ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରିବା ଅନୁଚିତ ବୋଲି କୋର୍ଟ ଶୁଣାଣି ବେଳେ କହିଛନ୍ତି । ଲୋକଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ନିର୍ମାଣ କାମ କରୁଥିବା କୋର୍ଟ ଉପଲବ୍ଧି କରିଛନ୍ତି । ଭକ୍ତଙ୍କ ସୁବିଧା ପାଇଁ ହେଉଥିବା ନିର୍ମାଣ କାମ ଆଦୌ ବେଆଇନ ନୁହେଁ ବୋଲି କହିଛନ୍ତି କୋର୍ଟ।