ପେଗାସସ୍ ମାମଲାରେ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ, ବ୍ୟକ୍ତିଗତ ଗୋପନୀୟତାରେ ହସ୍ତକ୍ଷେପ କରିପାରିବେନି ସରକାର ।

90

କନକ ବ୍ୟୁରୋ: ପେଗାସସ୍ ଗୁପ୍ତଚରୀ ମାମଲାର ତଦନ୍ତ କରିବ ଏକ୍ସପର୍ଟ ଟିମ୍ । ବୁଧବାର ମାମଲାର ଶୁଣାଣି କରି ଏପରି କହିଛନ୍ତି ସୁପ୍ରିମକୋର୍ଟ । ପେଗାସସ ଗୁପ୍ତଚରୀ ମାମଲାର ତଦନ୍ତ ନେଇ ୬ ଜଣିଆ ଏକ୍ସପର୍ଟ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଟିକିନିକି ଯାଂଚ କରି ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଗୁପ୍ତଚରୀ ଆପର ବ୍ୟବହାର କେବଳ ଆତଙ୍କୀ ଗତିବିଧି ଉପରେ ନଜର ରଖିବା ଓ ଜାତୀୟ ସୁରକ୍ଷା କ୍ଷେତ୍ରରେ ବ୍ୟବହାର ହୋଇପାରିବ । ଏହାର ବ୍ୟବହାର କେବେ ହେଲେ ସାଧାରଣ ଲୋକଙ୍କ ଉପରେ ଗୁଇନ୍ଦାଗିରି କରିବା ନେଇ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୬ ଜଣିଆ ଏହି ଏକ୍ସପର୍ଟ କମିଟି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଆରଭି ରବିନ୍ଦ୍ରନଙ୍କ ନେତୃତ୍ୱରେ ଯାଂଚ କରିବେ ।

ସେପଟେ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସାମ୍ବାଦିକ ସମ୍ମିଳନୀ କରି ରାହୁଲ କହିଛନ୍ତି, ଆମେ ଖୁସି ଅଛୁ ସୁପ୍ରିମକୋର୍ଟ ପେଗାସସ ଦୁର୍ନୀତି ନେଇ ଚିନ୍ତା କରୁଛନ୍ତି । ଏହି ଦୁର୍ନୀତିକୁ ନେଇ ଆମେ ସଂସଦରେ ସ୍ୱର ଉଠାଇବୁ ବୋଲି ରାହୁଲ କହିଛନ୍ତି ।

ମ୍ରୁଖ୍ୟ ବିଚାରପତି ଏନ.ଭି ରମଣା, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପିଠ ଏହି ମାମଲାର ଶୁଣାଣି କରିଛନ୍ତି । ପେଗାସସ ମାମଲାରେ ସାମ୍ବାଦିକ, ରାଜନେତା, ସମାଜସେବୀ, ପୋଲିସ ଅଧିକାରୀ ଭଳି ବ୍ୟକ୍ତିତ୍ୱଙ୍କ ମୋବାଇଲ ଲାପଟପ ହ୍ୟାକ ହେବା ନେଇ ଅଭିଯୋଗ ସାମ୍ନାକୁ ଆସିଥିଲା । କେନ୍ଦ୍ର ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ବିପକ୍ଷ ଦଳର ଫୋନରେ ଗୁପ୍ତଚର ଆପ ଜରିଆରେ ନଜର ରଖୁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଥିଲ । ଏ ମାମଲାରେ ବିରୋଧୀ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି ।