ଲଖିମପୁର ଚାଷୀ ମୃତ୍ୟୁ ମାମଲାରେ ଯୋଗୀ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ପଢନ୍ତୁ, କଣ କହିଲେ ସର୍ବୋଚ୍ଚ ନ୍ୟାୟାଳୟ…

175

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ଲଖିମପୁର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଥିଲା । ମୁଖ୍ୟ ବିଚାରପତି ଏନଭି ରମନ୍ନା କହିଥିଲେ ଯେ-ଆପଣମାନେ କ’ଣ ବାର୍ତ୍ତା ଦେଉଛନ୍ତି । ସାଧାରଣ ସ୍ଥିତିରେ…କ’ଣ ପୁଲିସ୍ ତୁରନ୍ତ ଯାଇ ଅଭିଯୁକ୍ତକୁ ଗିରଫ କରି ନଥାଏ ? ଯେଉଁ ଉପାୟରେ ପ୍ରକ୍ରିୟା ଆଗକୁ ଯିବା କଥା ତାହା ଯାଇନାହିଁ । ଏବେ କେବଳ କଥା ହିଁ କୁହାଯାଉଛି, କାର୍ଯ୍ୟାନୁଷ୍ଠାନ ନୁହେଁ । ତେବେ ଏହାର ପ୍ରତିକ୍ରିୟାରେ ୟୁପି ସରକାରଙ୍କ ପକ୍ଷରୁ ଓକିଲ ହରିଶ ସାଲଭେ କୋର୍ଟଙ୍କୁ କହିଥିଲେ ଯେ, ମୁଁ ସହମତ ହେଉଛି ଯେ, ଯଥେଷ୍ଟ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏହି ମାମଲାରେ ଆଶିଷ ମିଶ୍ରା ଅଭିଯୁକ୍ତ ଅଛନ୍ତି । ଚାଷୀମାନେ କହିଛନ୍ତି ଆଶିଷ ମିଶ୍ରା ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିଲେ, ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି ।

ଏହି ସମୟରେ ମୁଖ୍ୟ ବିଚାରପତି କହିଥିଲେ ଆମେ ଦାୟିତ୍ୱବାନ ସରକାର ଓ ପୋଲିସ୍ ପାଇଁ ଆଶା ରଖୁ । ଗୁଳିଚାଳନା ପରି ଗୁରୁତର ଅଭିଯୋଗ ରହିଛି । ୟୁପି ପୋଲିସ୍ କେଉଁ ପ୍ରକାର ସନ୍ଦେଶ ଦେବାକୁ ଚାହୁଁଛି ? ଏହାର ପ୍ରତିକ୍ରିୟା ରଖି ସାଲଭେ କହିଥିଲେ ଯଦି ମାମଲାରେ ଯଥେଷ୍ଟ ଅଗ୍ରଗତି ନହୁଏ, ତେବେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇ ପାରିବ । ଏହାପରେ ମୁଖ୍ୟ ବିଚାରପତି କହିଥିଲେ, ଆପଣଙ୍କ ପ୍ରତି ଆମର ସମ୍ମାନ ରହିଛି, ଆପଣ ଜାଣିଛନ୍ତି ସିବିଆଇ ସମାଧାନ ନୁହେଁ, ଆଉ କ’ଣ ପାଇଁ ତାହା ବି ଜାଣିଛନ୍ତି । ପରେ ହରିଶ ସାଲଭେ କହିଥିଲେ ଗୁଳିର କ୍ଷତ ଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ନାହିଁ । ଯେଉଁଭଳି ଭାବରେ ଗାଡ଼ି ଚଢ଼ାଇ ଦିଆଯାଇଥିବା ଅଭିଯୋଗ ହୋଇଛି, ତାହା ସତ । ସମ୍ଭବତଃ ଏହା ଏକ ହତ୍ୟା ମାମଲା

ସେପଟେ ଅଭିଯୁକ୍ତ ଆଶିଷ ମିଶ୍ରା ଫେରାର ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମିଶ୍ରାଙ୍କ ଘର ଆଗରେ ଦ୍ୱିତୀୟ ନୋଟିସ୍ ଲଗାଇଛି ୟୁପି ପୋଲିସ୍ । ସେପଟେ ଆଶିଷ ଫେରାର ଖବରକୁ ଖଣ୍ଡନ କରିଛନ୍ତି ତାଙ୍କ ବାପା ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା । ସୂଚନାଯୋଗ୍ୟ ଯେ, ପୂଜା ଛୁଟି ପରେ ଅକ୍ଟୋବର ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି