ଟିକାକରଣକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ ନାଗରିକଙ୍କ ଅଧିକାର ଉଲ୍ଲଂଘନ ହେଲେ ଚୁପ ବସିବ ନାହିଁ ନ୍ୟାୟ ପାଳିକା

272

କନକ ବ୍ୟୁରୋ: କେନ୍ଦ୍ର ବଜେଟରେ ଟୀକା ପାଇଁ ବ୍ୟୟବରାଦ ହୋଇଥିବା ୩୫ ହଜାର କୋଟିକୁ କିଭଳି ବ୍ୟବହାର କରାଯାଇଛି? ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟୀକା ଦେବାକୁ କାହିଁକି ଏହି ଅର୍ଥକୁ ଖର୍ଚ୍ଚ କରାଯିବ ନାହିଁ? କିଛି ଏଭଳି ଢଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି । ୨୦୨୧- ୨୦୨୨ ଆର୍ଥିକ ବର୍ଷରେ ଟୀକା ସଂଗ୍ରହ ପାଇଁ ୩୫ ହଜାର କୋଟିର ବ୍ୟବସ୍ଥା କରାଯାଇଥିଲା । ଏକ ଉଦାରବାଦୀ ଟୀକାକରଣ ନୀତିକୁ ଆଖି ଆଗରେ ରଖି କୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ଜାଣିବାକୁ ଚାହିଁଛନ୍ତି, କିଭଳି ଭାବରେ ଏହି ୩୫ ହଜାର କୋଟିରୁ ଅର୍ଥ ବର୍ତ୍ତମାନ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି । ବାକି ଅର୍ଥକୁ କାହିଁକି ଏହି ବର୍ଗର ଲୋକଙ୍କ ଟୀକାକରଣ ପାଇଁ ଖର୍ଚ୍ଚ ହେଉନାହିଁ?

ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ୍, ଜଷ୍ଟିସ୍ ଏଲ. ନାଗେଶ୍ୱର ରାଓ, ଜଷ୍ଟିସ୍ ଏସ. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଭିମୁଖ୍ୟ ଦର୍ଶାଇଛନ୍ତି । ସେହିଭଳି ଟୀକାର ଦର ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ କୋର୍ଟ । ଦର ସଂକ୍ରାନ୍ତରେ ସତ୍ୟପାଠ ଜରିଆରେ କେନ୍ଦ୍ର କୋର୍ଟରେ କହିଥିଲା, ଅଧିକ ବେସରକାରୀ ଟୀକା ଉତ୍ପାଦନକାରୀ କଂପାନୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ରଖି ପ୍ରତିଯୋଗୀତା ମୂଳକ ମୁଲ୍ୟ ନିର୍ଦ୍ଧାରଣ କରିବାକୁ ଏହି ନୀତି ପ୍ରସ୍ତୁତ କରାଯାଇଛି । ମାତ୍ର ୨ଟି କଂପାନୀ ଏବେ ଟୀକା ଉତ୍ପାଦନ କରୁଥିବାରୁ କୋର୍ଟ, କେନ୍ଦ୍ର ସରକାରଙ୍କ ଏହି ଯୁକ୍ତିକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ । ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ୫୦ ପ୍ରତିଶତ ଟୀକା କେନ୍ଦ୍ର ପାଇବାକୁ ଥିବା ବେଳେ ବାକି ୫୦ ପ୍ରତିଶତ ଟୀକା ରାଜ୍ୟ ଏବଂ ବେସରକାରୀ କ୍ଷେତ୍ର ପାଇବେ ।

ଏଭଳି ବ୍ୟବସ୍ଥା ଜରିଆରେ ଟୀକା ଦର କମ ରହିବ ବୋଲି କେନ୍ଦ୍ର ଆଶା ବ୍ୟକ୍ତ କରିଥିବା ବେଳେ କୋର୍ଟ କହିଛନ୍ତି, ପ୍ରାଥମିକ ସ୍ତରରୁ ଜଣାପଡୁଛି ଦୁଇଟି କଂପାନୀ ଜରିଆରେ ଟୀକା ଯୋଗାଯାଉଛି, ଯାହାର ଦର ଏବଂ ପରିମାଣ ପୂର୍ବରୁ କେନ୍ଦ୍ର ସରକାର ନିର୍ଦ୍ଧାରଣ କରି ସାରିଛନ୍ତି । ସେହିଭଳି ୧୮ ରୁ ୪୪ ବର୍ଷର ଲୋକଙ୍କୁ ମାଗଣାରେ ଟୀକା ନଦେବାକୁ କେନ୍ଦ୍ରର ନିଷ୍ପତ୍ତିକୁ କୋର୍ଟ ମନଇଛା ଏବଂ ଅଯୈ÷ାକ୍ତିକ କାର୍ଯ୍ୟ ଭାବେ ଅଭିହିତ କରିଛନ୍ତି । କେନ୍ଦ୍ରର ଟୀକା ନୀତି ଉପରେ ଭାରତ ସରକାରଙ୍କର ଫାଇଲ୍ ନୋଟିଂ ଜାଣିବାକୁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି । ଅର୍ଥାତ୍ ଏ ସକ୍ରାନ୍ତୀୟ ଫାଇଲରେ କେନ୍ଦ୍ର କଣ ଆଭିମୁଖ୍ୟ ରହିଥିଲା, ତାକୁ ଜାଣିବାର ଅବକାଶ ଥିବା କୋର୍ଟ କହିଛନ୍ତି ।

ଜୁନ ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାର ଅଛି । ସେହିଭଳି ଦିଲ୍ଲୀ ହାଇକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କ ଟୀକାକରଣ ଉପରେ ପ୍ରଶ୍ନ ଉଠାଇଛନ୍ତି । ନିଜ ଆଭିମୁଖ୍ୟରେ କୋର୍ଟ କହିଛନ୍ତି, କରୋନାରେ ଯୁବବର୍ଗ ଅଧିକରୁ ଅଧିକ ମୃତ୍ୟୁ ବରଣ କରୁଛନ୍ତି । ସେମାନେ ଦେଶର ଭବିଷ୍ୟତ । ଏଭଳି ସ୍ଥଳେ ବରିଷ୍ଠଙ୍କ ପାଇଁ ଟୀକାକୁ ପ୍ରାଥମିକତା ଦେଇ ରଖିବାକୁ କୋର୍ଟ ନାପସନ୍ଦ କରିଛନ୍ତି । ହେଲେ ସେମାନଙ୍କ ଜୀବନ ମଧ୍ୟ ସମ ପରିମାଣରେ ଗୁରୁତ୍ୱପୁର୍ଣ୍ଣ ବୋଲି ମତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ । ଯେତେବେଳେ ଭ୍ୟାକସିନ ଯଥେଷ୍ଟ ପରିମାଣରେ ଉପଲବ୍ଧ ନାହିଁ ସେତେବେଳେ ଏହି ବର୍ଗଙ୍କ ପାଇଁ ଟୀକାକରଣ କିଭଳି ଆରମ୍ଭ କରାଗଲା ।

ଆମକୁ ଭବିଷ୍ୟତରେ ନିବେଶ କରିବାକୁ ପଡିବ, ହେଲେ ଆମେ ସେମାନଙ୍କୁ ସାଇଡ୍ କରି ଆଗକୁ ବଢୁଛେ । ଇଟାଲୀର ଉଦାହରଣ ଦେଇ କୋର୍ଟ କହିଛନ୍ତି, ସେଠାରେ ବରିଷ୍ଠଙ୍କୁ ସେମାନେ କ୍ଷମା ମାଗିବା ସହ ଚିକିତ୍ସା ସୁବିଧା ଉପଲବ୍ଧ କରାଇଲେ ନାହିଁ । ଯେତେବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଗଲା, କେବଳ ଭଗବାନ ଆମକୁ ଏହି ପରିସ୍ଥିତିରୁ ରକ୍ଷା କରିବେ, ସେତେବେଳେ କୋର୍ଟ କହିଥିଲେ, ଭଗବାନ ବି ଆମକୁ ବଂଚାଇ ପାରିବେ ନାହିଁ, ଯଦି ଆମେ ଆମର କାମକୁ ସଠିକ ଭାବେ କରିବା ନାହିଁ ।