ହାଜତ ମୃତ୍ୟୁକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ : ଏଣିକି ଦେଶର ସବୁ ପୋଲିସଷ୍ଟେସନ ହାଜତରେ ଲାଗିବ ସିସିଟିଭି କ୍ୟାମେରା ଓ ଅଡିଓ ରେକର୍ଡର

ସିବିଆଇ, ଏନଆଇଏ, ଏନସିବି ଓ ଇଡିର ପଚରା ଉଚରା ରୁମରେ ବି ଲାଗିବ ସିସିଟିଭି; ରହିବ ନାଇଟ ଭିଜନ ସୁବିଧା

143

କନକ ବ୍ୟୁରୋ : ହାଜତ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି । ଏଣିକି ଦେଶର ସବୁ ପୋଲିସଷ୍ଟେସନ, ସିବିଆଇ, ଏନଆଇଏ, ଏନସିବି ଓ ଇଡି ସେମାନଙ୍କ ପଚରା ଉଚରା ରୁମ ଏବଂ ହାଜତରେ ସିସିଟିଭି କ୍ୟାମେରା ଓ ଅଡିଓ ରେକର୍ଡର  ଲଗାଇବେ । ସିସିଟିଭିରେ ନାଇଟ ଭିଜନର ସୁବିଧା ମଧ୍ୟ ରହିବ ।

ତଦନ୍ତକାରୀ ଅଫିସରଙ୍କ ହେପାଜତରେ ଦିନକୁ ଦିନ  ଅଭିଯୁକ୍ତଙ୍କ ଉପରେ ନିର୍ଯାତନା ବଢୁଥିବାରୁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରମାନେ ମଧ୍ୟ ସେମାନଙ୍କ ଅଧିନରେ ଥିବା ପୋଲିସ ଷ୍ଟେସନରେ ସିସିଟିଭି ଓ ଅଡିଓ ରେକର୍ଡର ବ୍ୟବସ୍ଥା କରିବେ । ସିକ୍ୟୁରିଟି କ୍ୟାମେରା ଏମିତି ସ୍ଥାନରେ ଖଞ୍ଜାଯିବ ଯେମିତି ଏଥିରେ ହାଜତ ଠାରୁ ଆରମ୍ଭ କରି ପଚରା ଉଚରା, ପ୍ରବେଶ ପ୍ରସ୍ଥାନ ରାସ୍ତା ଦୃଶ୍ୟମାନ ହେଉଥିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

୧୮ମାସ ଯାଏଁ ଏହି ସିସିଟିଭି ଫୁଟେଜକୁ ସଂରକ୍ଷଣ କରି ପ୍ରମାଣ ଭାବେ ରଖାଯିବ । ଏକ ନିରପେକ୍ଷ ପାନେଲ ନିୟମିତ ଭାବେ ତଦନ୍ତକାରୀ ସଂସ୍ଥାଗୁଡିକଠାରୁ ସିସିଟିଭି ଫୁଟେଜ ଆଣି ଯାଂଚ କରିପାରିବେ । ଆସନ୍ତା ୬ ସପ୍ତାହ ମଧ୍ୟରେ ରାଜ୍ୟ ଗୁଡିକ କେବେ ଏହି ସବୁ କାମ ସାରିବେ ଏବଂ ଏଥିପାଇଁ କଣ ଯୋଜନା ପ୍ରସ୍ତୁତ କରିଛନ୍ତି ତାର ରିପୋର୍ଟ ଦାଖଲ କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଜାନୁଆରୀ ୨୭ରେ ମାମଲାର ପରବର୍ତି ଶୁଣାଣି ହେବ ।