ଦିଲ୍ଲୀ ଜାହାଙ୍ଗୀରପୁରୀରେ ପ୍ରଶାସନ ଦ୍ୱାରା ଅବୈଧ ଘର ଭାଙ୍ଗିବା ଘଟଣା: ରୋକ୍ ଲଗାଇଲେ ସୁପ୍ରିମକୋର୍ଟ 

81

କନକ ବ୍ୟୁରୋ: ଦିଲ୍ଲୀ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଅବୈଧ ଘର, ଦୋକନ ବଜାର ଆଦି ଭଙ୍ଗାଯାଉଥିବା ବେଳେ ସୁପ୍ରିମକୋର୍ଟ ଏହି ଘର ଭଙ୍ଗା ଉପରେ ରୋକ୍ ଲଗାଇଛନ୍ତି । ନର୍ଥ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ବା ଏନଡିଏମସି ଓ ପିଡବ୍ଲୁଡିର ମିଳିତ ଜବରଦଖଲ ଉଚ୍ଛେଦ ଅଭିଯାନ ଉପରେ ଗୁରୁବାର ଦିନ ସୁପ୍ରିମକୋର୍ଟରେ ଶୁଣାଣୀ ହେବ । ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ଦର୍ଶାଇ ଉଚ୍ଛେଦ ଅଭିଯାନ ଉପରେ ରହିତାଦେଶ ଜାରି ଲାଗି ଆଗତ ପିଟିସନର ଶୁଣାଣୀ କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ଦିଲ୍ଲୀରେ ପ୍ରଶାସନ ବୁଲଡୋଜର ବୁଲାଇବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ସନ୍ଦେହ କରାଯାଉଛି । ମେୟର କହିଛନ୍ତି ବେଆଇନ ଘରକୁ ଉଚ୍ଛେଦ କରିବା ଏକ ନିୟମିତ ପ୍ରକ୍ରିୟା ।

ଶନିବାର ଏହି ସ୍ଥାନରେ ହନୁମାନ ଜୟନ୍ତୀ ଅବସରରେ ଧାର୍ମିକ ଶୋଭାଯାତ୍ରା ହୋଇଥିଲା । ଏହି ସମୟରେ ଢେଲା ପଥର ମାଡ ହୋଇଥିଲା । ଏଥିରେ ଅନେକ ପୁଲିସ କର୍ମୀ ଏବଂ ସାଧାରଣ ଲୋକେ ଆହତ ହୋଇଥିଲେ । ଏହାକୁ ନେଇ ରାଜନୀତି ସରଗରମ ରହିଛି । ଏହାରି ଭିତରେ ଜବରଦଖଲ ନିର୍ମାଣକୁ ଦିଲ୍ଲୀ ମହାନଗର ନିଗମର ମେୟର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ସକାଳୁ ସକାଳୁ ୯ଟି ବୁଲଡୋଜର ଆସି ସମସ୍ତ ବେଆଇନ ଘରକୁ ଭାଙ୍ଗୁଥିଲା । ମାମଲା କୋର୍ଟରେ ପହଂଚିବା ପରେ ଶୁଣାଣି କରି ସୁପ୍ରିମକୋର୍ଟ ଉଚ୍ଛେଦ ଉପରେ ରୋକ୍ ଲଗାଇଛନ୍ତି ।

ଜବରଦଖଲ ଉଚ୍ଛେଦ ହେଉଥିବା ବେଳେ ସ୍ଥାନରେ ପହଂଚି ଏହାର ବିରୋଧ କରିଥିଲେ ସିପିଆଇଏମ ନେତା । ସେପଟେ ଏହି ଘଟଣାକୁ ନେଇ ଟ୍ୱିଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହା ଭାରତର ଗଣତାନ୍ତ୍ରିକ ମୂଲ୍ୟକୁ ଧ୍ୱସଂ କରାଯାଉଛି ବୋଲି ଲେଖିଛନ୍ତି ରାହୁଲ । ଅପରପକ୍ଷରେ ଏହି ଘଟଣାକୁ ନେଇ  ରାଜନୀତି ବଢିବାରେ ଲାଗିଛି ।

ଗତ ଶନିବାର ଏହି ସ୍ଥାନରେ ହନୁମାନ ଜୟନ୍ତୀ ଅବସରରେ ଧାର୍ମିକ ଶୋଭାଯାତ୍ରା ହୋଇଥିଲା । ଏହି ସମୟରେ ଢେଲା ପଥର ମାଡ ମଧ୍ୟ ହୋଇଥିଲା । ଏହା ପରେ ପରେ ଏହି ଜବରଦଖଲ ଉଚ୍ଛେଦ ହୋଇଥିବାରୁ ଏହାକୁ ନେଇ ରାଜନୀତି ବଢିବାରେ ଲାଗିଛି ।