ବୋଲବମ ଯାତ୍ରାନେଇ ସୁପ୍ରିମକୋର୍ଟଙ୍କ ଶକ୍ତ ନୀତି । ପୁନଃ ବିଚାର ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ଦେଲେ ପରାମର୍ଶ

684

କନକ ବ୍ୟୁରୋ: କାଉଡିଆ ଯାତ୍ରା ନେଇ ସୁପ୍ରିମକୋର୍ଟ ଓ ଉତରପ୍ରଦେଶ ସରକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଦ୍ୱନ୍ଦ । ୟୁପି ସରକାର ରାଜ୍ୟରେ ପ୍ରତିକାତ୍ମକ ଭାବେ ବୋଲବମ ଯାତ୍ରା କରିବା ପାଇଁ ପକ୍ଷ ରଖିବା ପରେ, ଏନେଇ ପୁନଃ ବିଚାର କରିବାକୁ କହିଛନ୍ତି ସୁପ୍ରିମକୋର୍ଟ ।

ଶ୍ରାବଣରେ ବୋଲବମ ଯାତ୍ରା ପାଇଁ ଉତର ପ୍ରଦେଶ ସରକାର ଦେଇଛନ୍ତି ଅନୁମତି । ୟୁପି ସରକାର କହିଛନ୍ତି ସମସ୍ତ କଟକଣା ଭିତରେ ପ୍ରତିକାତ୍ମକ ଭାବେ କାଉଡିଆ ଯାତ୍ରା ରାଜ୍ୟରେ କରାଯାଇ ପାରିବ । ଫଳରେ ଏହାକୁ ପୁନଃ ବିଚାର କରିବାକୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନାୟାଳୟ । ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ବୋଲବମ ଯାତ୍ରା ପ୍ରତିକାତ୍ମକ ଭାବେ ନକରିବାକୁ ୟୁପି ସରକାରଙ୍କୁ କୋର୍ଟ କହିଛନ୍ତି । ଏହା ସହିତ ଆସନ୍ତା ୧୯ ତାରିଖ ସୁଦ୍ଧା ନିଜ ପକ୍ଷ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଜଷ୍ଟିସ ଆରଏଫ ନରିମନ୍ ଓ ଜଷ୍ଟିସ ବିଆର ଗଭାଇଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣୀ କରି କହିଛନ୍ତି ମଣିଷ ଜୀବନ ସବୁଠାରୁ ଉପରେ ।

ସେପଟେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ, ଦେଶରେ କାଉଡିଆ ଯାତ୍ରାକୁ ଅନୁମତି ଦିଆ ନ ଯାଉ ଏବଂ ଗଙ୍ଗାଜଳର ବ୍ୟବସ୍ଥା ବିଭିନ୍ନ ସ୍ଥାନରେ ଟ୍ୟାଙ୍କର ଯୋଗେ କରାଯାଉ । ଉତର ପ୍ରଦେଶର ପ୍ରତ୍ୟେକ ଗଙ୍ଗା ଘାଟରେ ୧୪୪ ଧାରା ଲାଗୁ କରାଇବାକୁ ସୁପ୍ରିମକୋର୍ଟଙ୍କୁ ଅପିଲ କରିଛନ୍ତି କେନ୍ଦ୍ର ସରକାର ।

ଶ୍ରାବଣ ମାସରେ କାଉଡିଆଙ୍କ ଭିଡକୁ ନଜରରେ ରଖି ସୁପ୍ରିମକୋର୍ଟ ଉତର ପ୍ରଦେଶ ଓ ଉତରାଖଣ୍ଡ ସରକାରଙ୍କୁ ନିଜ ନିଜ ରାଜ୍ୟରେ ବୋଲବମ ଯାତ୍ରା ଅନୁଷ୍ଠିତ କରିବା କଥା କି ନାହିଁ ସେନେଇ ମତ ମାଗିଥିଲେ । ଯେଉଁଥିରେ ଉତରାଖଣ୍ଡ ସରକାର ପ୍ରଥମରୁ ହିଁ କାଉଡିଆ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ ।