କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ବରିଷ୍ଠ ଆଇଆରଏସ୍ ଅଫିସରଙ୍କୁ ଦୁର୍ବବ୍ୟବହାର ଅଭିଯୋଗ । ଏନେଇ ଭୁବନେଶ୍ୱର ଜୋନର ଜିଏସଟି ମୁଖ୍ୟଙ୍କୁ ଅଫିସର ଜଣକ ଚିଠି ଲେଖିବା ପରେ କଥା ସାମ୍ନାକୁ ଆସିଛି । ଡାଇରେକ୍ଟୋରେଟ୍ ଜେନେରାଲ ଅଫ ପର୍ଫମାନ୍ସ ମାନେଜମେଣ୍ଟର ଡିଜି ରେଶମା ଲଖାନୀ ଏହି ଚିଠିଟି ଲେଖିଛନ୍ତି । ଡିଜିପିଏମର ମୁଖ୍ୟ ରେଶମା ଲଖାନୀ ଅଭିଯୋଗ କରିଛନ୍ତି ଯେ, ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କରିବାବେଳେ ତାଙ୍କ ସହ ଥିବା ପ୍ରଟୋକଲ ଅଫିସର ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ରୋସନ୍ ଯାଦବଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତିି ରେଶମା ଲଖାନୀ । ରୋସନ ଯାଦବ, ସେଠାରେ ମୁତୟନ ଥିବା ପୋଲିସ ଇନସ୍ପେକ୍ଟରଙ୍କୁ ରେଶମାଙ୍କ ପରିଚୟପତ୍ର ଯାଞ୍ଚ କରିବାକୁ କହିଥିଲେ । ବିନା କାରଣରେ ତାଙ୍କୁ ପୁରୀରେ ଆତଙ୍କବାଦୀ ଭଳି ବ୍ୟବହାର କରାଯାଇଥିବା ଅଭିଯୋଗ କରିଥିଲେ ରେଶମା ଲଖାନୀ । ହେଲେ ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ନିଷେଧ ଥିବାରୁ ତାଙ୍କୁ ଛଡାଯାଇନଥିବା ଜଣାପଡିଛି ।

Advertisment

ସ୍ଥାନୀୟ ଜିଏସଟି କାର୍ଯ୍ୟାଳୟର ସୁପରିଡେଣ୍ଡେଣ୍ଟ ରୋସନ ଯାଦବଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଅନୁରୋଧ କରିଥିଲେ ରେଶମା ଲଖାନୀ । ତାଙ୍କ ଅଭିଯୋଗ ପରେ ଅଧିକାରୀ ରୋସନ ଯାଦବଙ୍କ ବଦଳି କରାଯାଇଥିବା କୁହାଯାଉଛି । ତେବେ ଏହି ଘଟଣାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଅଫିସଙ୍କ ଏଭଲି ଆକ୍ରୋଶମୂଳକ ପଦକ୍ଷେପକୁ ନିନ୍ଦା କରିଛନ୍ତି ସେବାୟତ ।

ଏ ସମ୍ପର୍କରେ ରେଶମା ଲଖାନୀ କିମ୍ବା ବଦଳି ହୋଇଥିବା ଅଧିକାରୀ ରୋଶନ ଯାଦବଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ହେଲେ ଘଟଣାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମତ ଆସୁଛି । ପୁରୀ ଶ୍ରୀମନ୍ଦିର ନିୟମ ଅନୁସାରେ ଅଣହିନ୍ଦୁଙ୍କ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ତାଙ୍କର ପରିଚୟ ଯାଞ୍ଚ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ରେଶମା ଲଖାନୀଙ୍କ ପରିଚୟ ପତ୍ର ଯାଞ୍ଚ କରାଯାଇଥିଲା । ଏଥିରେ କେଉଁଠି ତୃଟି ରହିଲା ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ କରାଯାଉଛି ।