ଆଖି ଦେଖାଉଛି, ପାଖେଇ ଆସୁଛି । ସମୁଦ୍ର ମଝିରୁ ସୁ ସୁ ଗର୍ଜନ କରି ମାଡି ଆସୁଛି ମହାବାତ୍ୟା । ଆଜି ରାତିରେ ରହିବାକୁ ପଡ଼ିବ ସତର୍କ । ୧୨ଟା ପରେ ହଠାତ୍ ବଢ଼ିପାରେ ପବନର ବେଗ । ପାରାଦୀପ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଦୀଘାରେ ପ୍ରବଳ ବର୍ଷା, ପବନ

1,050

କନକ ବ୍ୟୁରୋ: ଆସିବା ଆଗରୁ ଆଖି ଦେଖାଉଛି ଅମ୍ଫାନ । ଉପକୂଳ ଛୁଇଁବା ପୂର୍ବରୁ ଆରମ୍ଭ ହୋଇଯାଇଛି ବାତ୍ୟାର ପ୍ରଭାବ । ଲଗାତର ବର୍ଷା ହେଉଛି । ପ୍ରବଳ ବେଗରେ ପବନ ବହିଚାଲିଛି । ଆଉ ଅଶାନ୍ତ ହୋଇପଡିଛି ସମୁଦ୍ର । ବାଲେଶ୍ୱରରେ ହଠାତ୍ ସମୁଦ୍ର ଜୁଆରିଆ ହୋଇଯାଇଛି । କୂଳକୁ ମାଡିଆସୁଛି ବଡ ବଡ ଜୁଆର । ବର୍ଷା ବଢିଛି ଆଉ ତାସହ ପ୍ରବଳ ବେଗରେ ପବନ ବହୁଛି । ବାତ୍ୟା ଉପକୂଳର ଯେତେ ପାଖଉଛି ସେତିକି ଭୟଙ୍କର ହେଉଛି ପବନର ଶବ୍ଦ ।

ତେବେ ବାତ୍ୟାର ପ୍ରଭାବ ଅଧିକ ରହିବା ଆକଳନ କରାଯାଉଥିବା ଭଦ୍ରକ ଧାମରା କୂଳରେ ମଧ୍ୟ ସମୁଦ୍ର ଜୁଆର କୂଳକୁ ମାଡି ଆସିଛି । ଧିରେ ଧିରେ ପବନର ବେଗ ବଢୁଛି । ଲଗାତର ବର୍ଷା ଚାଲିଛି । ବାତ୍ୟା ମୁକାବିଲା ପାଇଁ ୬ଟି ଜିଲ୍ଲାରେ ଆରମ୍ଭ ହୋଇଯାଇଛି ସ୍ଥାନାନ୍ତରଣ ପ୍ରକ୍ରିୟା । ତଳିଆ ଅଂଚଳରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । କଚ୍ଚା ଘରେ ରହୁଥିବା ବସ୍ତି ବାସିନ୍ଦା ଓ ଉପକୂଳିଆ ଲୋକଙ୍କୁ ପକ୍କା ଘରକୁ ନିଆଯାଇଛି । ମାଇକରେ ବସ୍ତି ଓ ତଳିଆ ଅଂଚଳର ଲୋକଙ୍କୁ ସଚେତନ କରାଯାଉଛି ।

ସେପଟେ ବାତ୍ୟା ସହ କରୋନା ମୁକାବିଲା , ଦୁଇ ଦୁଇଟି ଚ୍ୟାଲେଂଜ ରହିଛି ପ୍ରଶାସନ ଆଗରେ । ସାମାଜିକ ଦୂରତା ଓ ଶୃଙ୍ଖଳା ଭିତରେ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଉଛି । ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରିଛି ପ୍ରଶାସନ । ..

ବାତ୍ୟା ସମୟରେ ଘରୁ ନବାହାରିବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି । ୧୨ଟି ଜିଲ୍ଲା ପ୍ରଭାବିତ ହେବାକୁ ଥିବା ବେଳେ ୬ଟି ଜିଲ୍ଲା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଯେକୌଣସି ପରିସ୍ଥିତି ପାଇଁ ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ ଟିମ୍ ପ୍ରସ୍ତୁତ ରହିଛନ୍ତି । ତେବେ ବାତ୍ୟା ସମୟରେ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦିଆଯାଉଛି । ଫନିରୁ ଶିକ୍ଷା ଲାଭ କରି ଅମ୍ଫାନ ପାଇଁ ପ୍ରସ୍ତୁତ ହୋଇଛି ସବୁ ଜିଲ୍ଲାର ପ୍ରଶାସନ ।