ଲାଣ୍ଡର ବିକ୍ରମକୁ ଛୁଇଁବ ଅନ୍ଧାର । ଆଗାମୀ ୧୪ ଦିନ ଅନ୍ଧାରରେ ରହିବ ଲାଣ୍ଡର ବିକ୍ରମ, ଫଟୋ ବି ଉଠାଇବା ହୋଇଯିବ ମୁସ୍କିଲ ।

1,626

ଚନ୍ଦ୍ରର ଦକ୍ଷିଣ ମେରୁରେ ଆଉ କିଛି ଘଣ୍ଟା ମଧ୍ୟରେ ଘନ ଅନ୍ଧକାର ଛାଇଯିବ । ଆଉ ଏହାସହ ଲାଣ୍ଡର ବିକ୍ରମ ସହ ଇସ୍ରୋର ସର୍ମ୍ପକ ସ୍ଥାପନ କରିବା ସ୍ୱପ୍ନ ମଧ୍ୟ ଅନ୍ଧାରରେ ଲୁଚିଯିବ । କାରଣ ଆଉ କିଛି ଘଣ୍ଟା ମଧ୍ୟରେ ଅନ୍ଧାରରେ ଲୁଚିଯିବ ଲାଣ୍ଡର ବିକ୍ରମ । ଆଉ ଏହି ସମୟରେ ଲାଣ୍ଡର ବିକ୍ରମର ସ୍ଥିତି ସର୍ମ୍ପକରେ ଜାଣିବା ଇସ୍ରୋ ପାଇଁ ସହଜ ହେବନି । ପୃଥିବୀର ସମୟ ଅନୁଯାୟୀ ପ୍ରାୟ ୧୪ ଦିନ ଅନ୍ଧାରରେ ରହିବ ଲାଣ୍ଡର ବିକ୍ରମ । ଏହି ସମୟ ମଧ୍ୟରେ ବିକ୍ରମ ସୁରକ୍ଷିତ ରହିବ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ।

ଲାଣ୍ଡର ବିକ୍ରମକୁ ଯେଉଁଠାରେ ଦେଖିବାକୁ ମିଳିଛି ସେଠାରେ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କରିଣ ପଡିବ ନାହିଁ । ଏପରିକି ତ୍ରାପମାତ୍ରା ମଧ୍ୟ ମାଇନସ୍ ୧୮୩ ଡିଗ୍ରୀ ସେଲସିୟସକୁ ଖସି ଆସିପାରେ । ଆଉ ଏଭଳି ସ୍ଥିତିରେ ବିକ୍ରମ ଲାଣ୍ଡରରେ ଲାଗିଥିବା ଇଲେକଟ୍ରୋନିକ ସରଞ୍ଜାମ ନଷ୍ଟ ହୋଇଯାଇପାରେ ।

ଗତ ୭ ସେପ୍ଟେମ୍ବର ରାତି ପ୍ରାୟ ୧.୫୦ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ଖସିପଡିଥିଲା ଲାଣ୍ଡର ବିକ୍ରମ । ଏହି ସମୟରେ ଚନ୍ଦ୍ରରେ ସୂଯ୍ୟକିରଣ ପଡିବା ଆରମ୍ଭ ହୋଇଥିଲା । ଚନ୍ଦ୍ରର ଗୋଟିଏ ଦିନ ପୃଥିବୀର ୧୪ ଦିନ ସମାନ ହୋଇଥିବାରୁ ଏବେ ଚନ୍ଦ୍ରରେ ସନ୍ଧ୍ୟା ହେବା ଆରମ୍ଭ କରିଛି । ତେବେ ଆସନ୍ତା ୨୦ରୁ ୨୧ ମଧ୍ୟରେ ଚନ୍ଦ୍ରରେ ପୂରା ଅନ୍ଧକାର ଛାଇଯିବ । ଆଉ ଏହାସହ ଲାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ମିଶନ ସମୟସୀମା ମଧ୍ୟ ପୂରା ହୋଇଯିବ ।

ସେପ୍ଟେମ୍ବର ୨୦-୨୧ ପରେ ପରେ ଚନ୍ଦ୍ରଯାନ-୨ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓ ଫଟୋ ଇସ୍ରୋ ପକ୍ଷରୁ ଜାରି କରାଯାଇପାରେ ବୋଲି ଖବର ଜାତୀୟ ଗଣମାଧ୍ୟମରେ ସାମ୍ନାକୁ ଆସୁଛି । ତେବେ ଇସ୍ରୋ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେବେ ଚନ୍ଦ୍ରଯାନ-୨ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓ ଫଟୋ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଜଣାଯିବ ବୋଲି କହିଛି ଇସ୍ରୋ ।