ବିଜେଡି ପାଠଶାଳାରେ ପରୀକ୍ଷା ଦେଲେ ଛାତ୍ର ନେତା । ନବୀନ ଓ ବିଜୁଙ୍କ ନେଇ ପଚରାଗଲା ୨୫ ପ୍ରଶ୍ନ । ପରୀକ୍ଷାର ନିୟନ୍ତ୍ରକ ସାଜିଲେ ପ୍ରଣବ ପ୍ରକାଶ ଦାସ

477

କନକ ବ୍ୟୁରୋ : ବିଜେଡି କାର୍ଯ୍ୟାଳୟରେ ଚାଲିଥିଲା ଛାତ୍ର କାର୍ଯ୍ୟକାରିଣୀ ବୈଠକ । ଯେଉଁଥିରେ ସାମିଲ ହୋଇଥିଲେ ଏହି ଛାମୁଆ ସଂଗଠନର ନେତୃମଣ୍ଡଳୀ । ବୈଠକ ସରିବା ପରେ ହଠାତ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଥିଲା । ୧୭୭ ଛାତ୍ର କାର୍ଯ୍ୟକର୍ତାଙ୍କୁ ନେଇ ଆରମ୍ଭ ହେଲା ପରୀକ୍ଷା ।

ଆଉ ଏହି ପରୀକ୍ଷାର ନିୟନ୍ତ୍ରକ ସାଜିଥିଲେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ୨୦ ମିନିଟ୍ର ଏହି ପରୀକ୍ଷା ପାଇଁ ଥିଲା ମୋଟ ୨୫ଟି ପ୍ରଶ୍ନ । ୧୦୦ ମାର୍କର ପରୀକ୍ଷା ଦେଇଥିଲେ ଦଳର ଛାତ୍ର ନେତା । ପରୀକ୍ଷାରେ ଭଲ କରିଥିବା ଛାତ୍ର ନେତାଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ବିଜୁ ଓ ନବୀନଙ୍କ ସଂପର୍କରେ ପ୍ରଶ୍ନାବଳୀ ପ୍ରସ୍ତୁତ ହୋଇଥିଲା । ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଶୈଳୀ, ତାଙ୍କ ସମୟରେ କେଉଁ କେଉଁ ବଡ଼ ବଡ଼ ପ୍ରକଳ୍ପ ହୋଇଛି, ସେନେଇ ପ୍ରଶ୍ନ ପଚରା ଯାଇଥିଲା । ସେପଟେ କିପରି ନିଜ ପରିବାର ପ୍ରତି ଦାୟିତ୍ୱ ତୁଲାଇବେ ଏବଂ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ, ଏ ନେଇ ଛାତ୍ରନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।