କନକ ବ୍ୟୁରୋ: ସ୍ୱାମୀ, ଶାଶୁ ମାଡ ଗାଳି ଦେଉଥିଲେ । ନିର୍ଯାତନା ସହିନପାରି ଆତ୍ମହତ୍ୟା କରିବାକୁ ଯାଉଥିଲେ । ଏବେ ଜଣେ ଦକ୍ଷ ଆଇଏଏସ୍ । ଏ କାହାଣୀ ହେଉଛି ଆଇଏଏସ୍  ସବିତା ପ୍ରଧାନଙ୍କର । ସବିତାଙ୍କର ଜୀବନ ସଂଘର୍ଷ ସାରା ସମାଜ ତଥା ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣା ପାଲଟିଛି ।

Advertisment

ଶାଶୁଘର ନିର୍ଯାତନାରୁ ନିଜ ଉପରୁ ମୋହ ଛାଡିଯାଇଥିଲା । ଟିକେ ଟିକେ କଥାରେ ସ୍ୱାମୀ ମାଡ ମାରୁଥିଲେ । ଶାଶୁ ମଧ୍ୟ ଅକଥନୀୟ ନିର୍ଯାତନା ଦେଉଥିଲେ । ଖାଇବାକୁ ମଧ୍ୟ ଭଲକି ଦେଉନଥିଲେ । ଦି ଦିଟା କୋଳ ପିଲାଙ୍କ ଦାୟିତ୍ୱ ସହ ଶାଶୁଘର ନିର୍ଯାତନା ଅସହ୍ୟ ହେଉଥିଲା । ଫଳରେ ଦିନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଥିଲେ ସବିତା, ହେଲେ ଗୋଟିଏ ଘଟଣା ତାଙ୍କ ମନକୁ ବଦଳାଇଦେଇଥିଲା । ଯାହା ଆଜି ତାଙ୍କୁ ସଫଳତାର ଶୀର୍ଷରେ ଛିଡା କରିଛି । ୧୬ବର୍ଷ ବୟସରେ ବିବାହ, ୨୧ବର୍ଷ ବୟସରେ ନିର୍ୟାତନାର ଶିକାର ହୋଇ ଶାଶୁଘର ଛାଡ଼ିବାଠାରୁ ଆରମ୍ଭ କରି ଆଇଏଏସ୍ ହେବା ପର୍ୟ୍ୟନ୍ତ ସବିତାଙ୍କର ଏ କାହାଣୀ ।

ଆଇଏଏସ୍ ଅଧିକାରୀ ସବିତା ପ୍ରଧାନ ମଧ୍ୟପ୍ରଦେଶର ମଣ୍ଡି ଜିଲ୍ଲାର ବାସିନ୍ଦା। ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ସବିତାଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନଥିଲା। ହେଲେ ବହୁ କଷ୍ଟରେ ସେ ୧୦ମ ପରୀକ୍ଷା ପାସ୍ କରିଥିଲେ। ଦଶମ ପରେ ସେ ଅଧ୍ୟୟନ କରିବାକୁ ଚାହୁଁଥିଲେ, ହେଲେ ଭଲ ଘରୁ ବିବାହ ପ୍ରସ୍ତାବ ଆସିବାରୁ ତାଙ୍କର ଏହି ଇଚ୍ଛା ମରିଯାଇଥିଲା। ପରେ ସବିତାଙ୍କ ଶଶୁର କହିଥିଲେ ବିବାହ ପରେ ଝିଅକୁ ଆମେ ଡାକ୍ତର କରାଇବାକୁ। ସେ ବୋହୂ ନୁହେଁ, ଆମ ଝିଅ ଭଳି ରହିବ। ଶଶୁରଙ୍କ କଥାରେ ଖୁସି ହୋଇ ୧୬ବର୍ଷ ବୟସରେ ସବିତା ବିବାହ କରିବାକୁ ରାଜି ହୋଇଥିଲେ। ହେଲେ ବିବାହ ପରେ ଶାଶୁଘର ଲୋକ ସବିତାଙ୍କୁ ପାଠ ପଢ଼ିବାକୁ ଅନୁମତି ଦେଇ ନଥିଲେ। ସ୍ୱାମୀ ମାଡ଼ ମାରିବା ସହ ତାଙ୍କୁ ଠିକ ଭାବରେ ଖାଇବାକୁ ଦିଆଯାଉ ନଥିଲା। ୨୧ବର୍ଷ ବୟସରେ ସବିତା ୨ଟି ସନ୍ତାନର ମା’ ହୋଇ ସାରିଥିଲେ ବି ତାଙ୍କ ଉପରେ ଅତ୍ୟାଚର କମ ହେଉନଥିଲା। ପ୍ରତିଦିନ ହେଉଥିବା ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ସେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ।

ଦିନେ ସେ ଜୀବନ ହାରିବା ପାଇଁ ବେକରେ ଓଢ଼ଣି ଗୁଡ଼ାଉଥିବା ବେଳେ ତାଙ୍କ ଶାଶୁ ତାଙ୍କୁ ଦେଖି ମଧ୍ୟ ଅଟକାଇ ନଥିଲେ। ଏହା ଦେଖି ଏଭଳି ହୃଦୟହୀନ ଲୋକଙ୍କ ପାଇଁ ଜୀବନ ହାରିବି ନାହିଁ ବୋଲି ମନସ୍ଥ କରିଥିଲେ ସବିତା। ୨ସନ୍ତାନଙ୍କୁ ଧରି ଶାଶୁଘର ଛାଡିଦେଲେ । ସେତେବେଳକୁ ବଡ ପୁଅକୁ ମାତ୍ର ଦେଢବର୍ଷ ହୋଇଥିବାବେଳେ ସାନ ପୁଅକୁ ମାତ୍ର ୪ ମାସ ହୋଇଥାଏ ।ଶାଶୁଘର ଛାଡିବା ପରେ ତାଙ୍କ ଜୀବନ ପଥ ଆହୁରି ଜଟିଳ ଥିଲା । ହେଲେ ଏହାକୁ ପାରି କରିଯାଇଥିଲେ ସବିତା । ଗୋଟିଏ ପାର୍ଲରରେ କାମ କରି ପିଲା ଦିଟାଙ୍କ ମୁହଁରେ ଦାନା ଦେଇଥିଲେ ।

ସେତେବେଳକୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥାଏ । ମାଇଗ୍ରେନ୍ ଯନ୍ତ୍ରଣାରୁ ମୁକ୍ତି ପାଇଁ ଲଗାତାର ପେନ୍ କିଲର ଖାଉଥିବାରୁ ତାଙ୍କ କିଡନୀ ଦୁଇଟିଯାକ ସଂକ୍ରମିତ ହୋଇଯାଇଥାଏ । ଏପଟେ ଚିକିତ୍ସା ପାଇଁ ପାଖରେ ଅର୍ଥର ଘୋର ଅଭାବ । ଏହି ସମୟ ଭିତରେ ତାଙ୍କ ନଜରରେ ପଡିଥିଲା ଲୋକସେବା ଆୟୋଗର ବିଜ୍ଞାପନ । ଅନେକ ଦିନ ଧରି ପଢାରୁ ଅଭ୍ୟାସ ଛାଡିଯାଇଥିଲେ ବି ମନ ଛୋଟ କରିନଥିଲେ ସବିତା ବରଂ ଯେମିତି ହେଉ ୟୁପିଏସସି ପରୀକ୍ଷା ଦେବାକୁ ମନସ୍ଥ କରିଥିଲେ । ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶଅମ ଯୋଗୁଁ ତାଙ୍କ ଯନ୍ତ୍ରଣାସିକ୍ତ ଜୀବନରେ ଆଲୋକର ଛିଟା ପଡିବାକୁ ଲାଗିଲା । ୨୦୧୭ ମସିହାରେ ୟୁପିଏସସି ପରୀକ୍ଷାରେ ପ୍ରଥମ ଚେଷ୍ଟାରେ ଉତ୍ତୀର୍ଣ୍ଣ ହୋଇଥିଲେ ସବିତା ।
ସବିତାଙ୍କର ପ୍ରଥମ ପୋଷ୍ଟିଂ ମଧ୍ୟପ୍ରଦେଶର ନିଚମ ୍ଜିଲ୍ଲା ସିଏମଓ ଭାବେ ହୋଇଥିଲା । କୋଳରେ ସାନ ପୁଅକୁ ଧରି କାମ କରିବାକୁ ଆସୁଥିଲେ ସବିତା ପ୍ରଧାନ, ଯାହା ସେ ସମୟରେ ବେଶ୍ ଚର୍ଚ୍ଚାର ପରିସରକୁ ଆସିଥିଲା ।

ପ୍ରଥମ ବିବାହ ବିଫଳ ହେବା ପରେ ଏବେ ସେ ଡିଜିଟାଲ କ୍ରିଏଟର ହର୍ଷ ରାଏ ଗୌଡଙ୍କୁ ଦ୍ୱିତୀୟ ବିବାହ କରି ନିଜ ଦୁଇ ପୁଅଙ୍କ ସହ ବେଶ୍ ଖୁସିରେ ଅଛନ୍ତି ଆଇଏଏସ୍ ସବିତା ପ୍ରଧାନ । ଏହାସହ ପାଲଟିଯାଇଛନ୍ତି ସାରା ସମାଜ ପାଇଁ ଉଦାହରଣ