କନକ ବ୍ୟୁରୋ: ବୟସର ଅପରାହ୍ନରେ ଯନ୍ତ୍ରଣାର କାହାଣୀ । ଜିଲ୍ଲା ପ୍ରଶାସନର ଭୁଲ୍ ପାଇଁ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ୭୫ ବର୍ଷୀୟା ବୃଦ୍ଧା ଭୂମିସୁତା ନାୟକ । ସମାନ ନାଁ ଥିବା ଅନ୍ୟ ଜଣକ ଭତ୍ତା କାର୍ଡ ଦେଇ ପୁଣି ଥରେ ଫେରାଇ ନେଇଛି ପ୍ରଶାସନ । ଏବେ ଜୀବନ ବଞ୍ଚାଇବାକୁ ଭତା ପାଇଁ ଡହଳ ବିକଳ ହେଉଛି ସୁବର୍ଣ୍ଣପୁର ବୀରମହାରାଜପୁର ବିକଳପୁର ଗାଁର ବୃଦ୍ଧା ଭୂମିସୁତା । ମୁଣ୍ଡ ଗୁଂଜିବାକୁ ଛପର ନଥିବା ବେଳେ ପାଲ ଜରି ଟାଣି ବିତୁଛି ଜୀବନ । ପେଟକୁ ମୁଠାଏ ଦାନା ଯୋଗାଡ କରିବାକୁ ବି ତାଙ୍କର ସକ୍ଷମ ନାହିଁ । ପରିଣତ ବୟସରେ ବଂଚିବାକୁ ଚଳାଇଛନ୍ତି ସଂଘର୍ଷ।

Advertisment

୧୧ ମାସ ଆଗରୁ ଦିଆଯାଇଥିଲା ଭତା କାର୍ଡ । ୬ମାସ ପର୍ଯ୍ୟନ୍ତ ତାଙ୍କୁ ଭତା ମଧ୍ୟ ଦିଆଯାଇଛି । ହେଲେ ହଠାତ ସେହି କାର୍ଡ ତାଙ୍କଠାରୁ ଫେରାଇ ନିଆଯାଇଥିଲା । ଆଉ ଏକ ନୂଆକାର୍ଡ ଦିଆଯିବ କହି ଦିନ ପରେ ଦିନ ଗଡାଇ ଚାଲିଛି ପ୍ରଶାସନ । ହେଲେ ବୃଦ୍ଧାଙ୍କୁ ମିଳିନି କାର୍ଡ ଖଣ୍ଡକ । ପଞ୍ଚାୟତରୁ ପଞ୍ଚାୟତ ଦଉଡି ଦଉଡି ନୟାନ୍ତ ହୋଇସାରିଲେଣି ଭୂମିସୁତା । ହେଲେ ନା କାର୍ଡ ମିଳୁଛି ନା କୌଣସି ପ୍ରକାରର ସହଯୋଗ । ସେହି ଭଙ୍ଗା ଦଦରା ଚାଳିଆ ତଳେ ଭୋକ ଉପାସରେ ଜୀବନ ବିତୁଛି । ସେପଟେ ଭୂମିସୁତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବ୍ଲକ ଉନ୍ନୟନ ଅଧିକାରୀ ।