କନକ ବ୍ୟୁରୋ: ପାଣି ମୁନ୍ଦାଏ ପାଇଁ ଗାଁର ଲୋକଙ୍କ ସଂଘର୍ଷ । ରାତି ପାହିଲେ ଗାଁର ଛୋଟରୁ ବଡ ଗରା ମାଠିଆ ନେଇ ଲାଗିଯାନ୍ତି ପାଣି ସଂଗ୍ରହରେ । ରାୟଗଡା ବ୍ଳକ ମାଟିକଣା ପଞ୍ଚାୟତ ଅନ୍ତର୍ଗତ ଜେରେକା ଗାଁ । ଏହି ଗାଁରେ ସମୁଦାୟ ୨୬ଟି ପରିବାର ବାସ କରନ୍ତି । ଜନସଂଖ୍ୟା ପ୍ରାୟ ୧୫୦ରୁ ଅଧିକ । ଏହି ଗାଁରେ ଗୋଟିଏ ନଳକୂପ ଥିଲା । ଯେତେବେଳେ ଏହି ଗାଁକୁ ସୋଲାର ପାଇପ ଯୋଗାଇ ଦିଆଗଲା ସେତେବେଳେ ଏହି ଗୋଟିଏ ନଳକୂପକୁ ଭାଙ୍ଗି ସେଥିରେ ସୋଲାର ପାଇପ ସଂଯୋଗ କରିଦିଆଗଲା । କେତେଦିନ କାମ କଲା ପରେ ଏହି ସୋଲାର ପାଇପଟି ଅଚଳ ହୋଇଗଲା । ଦୀର୍ଘ ଏକ ବର୍ଷ ଧରି ଏହିପରି ଭାଙ୍ଗିରୁଜି ଅଚଳ ହୋଇ ପଡିଛି । ବାରମ୍ବାର ଅଭିଯୋଗ ପରେ ବି ଏହା ମରାମତି ହୋଇପାରୁ ନାହିଁ । ଯାହାରି ଫଳରେ ଦୀର୍ଘ ଏକ ବର୍ଷ ହେଲାଣି ମୁନ୍ଦାଏ ପାଣି ପାଇପାରୁ ନାହାନ୍ତି । ଶେଷରେ ମୁନ୍ଦାଏ ପାଣି ପାଇଁ ଗଣ୍ଡଗୋଳ ସହ ଦୀର୍ଘ ସମୟ ଅପେକ୍ଷା କରି ବାଲ୍ଟିଏ ପାଣି ଆଣି ଘରକୁ ଆସୁଛନ୍ତି ଜେରେକା ଗାଁ ଲୋକେ ।

ନିଜ ଗାଁରେ ମୁନ୍ଦାଏ ପାଣି ମିଳୁନାହିଁ । ସେଥିପାଇଁ ପାଖରେ ଥିବା ମାଟିକଣା ଗାଁ ଉପରେ ନିର୍ଭର କରିବାକୁ ପଡୁଛି । ଦୁଇ ଗାଁ ମଧ୍ୟରେ ବୈଠକ ବସି ନିଷ୍ପତି ନିଆଯାଇଥିଲା ଯେ ପ୍ରଥମେ ସେହି ଗାଁର ଲୋକେ ପାଣି ନେବେ ତାପରେ ଯାଇ ଅନ୍ୟ ଗାଁର ଲୋକେ ପାଣି ନେବେ । ସେଠାରେ ଦୀର୍ଘ ସମୟ ଅପେକ୍ଷା କଲା ପରେ ଗୋଟିଏ ପରିବାର ପିଛା ଏମାନଙ୍କ ଭାଗରେ ମାତ୍ର ଗୋଟିଏ ବାଲ୍ଟି ପାଣି ମିଳିଥାଏ । ଯାହାକି ଚଳିବା ପାଇଁ କଷ୍ଟକର ହୋଇପଡୁଛି । ସରପଞ୍ଚ, ସଭ୍ୟଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ନିକଟରେ ଯେତେ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ଗ୍ରୀଷ୍ମ ରୁତୁରେ ଜଳକଷ୍ଟ ଭୋଗୁଥିବା ବେଳେ କାମଧନ୍ଦାକୁ ନଯାଇ ବାଧ୍ୟ ହୋଇ ମହିଳା ଓ ପୁରୁଷ ମାନେ ପାଣି ଆଣିବାକୁ ଯାଉଛନ୍ତି । ତେଣୁ ଖୁବଶୀଘ୍ର ଜିଲ୍ଲା ପ୍ରଶାସନ ଜେରେକା ଗ୍ରାମବାସୀଙ୍କୁ ପାଣି ଯୋଗାଇଦେବା ଜରୁରୀ ହୋଇପଡିଛି ।