କନକ ବ୍ୟୁରୋ: ହାଇଦ୍ରାବାଦରେ ଏହି ଲୋମଟାଙ୍କୁରା ଘଟଣା ଘଟିବା ପରେ, ଓଡିଶାରେ ତତ୍ପର ହୋଇଛି ପ୍ରଶାସନ । ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବଢ଼ୁଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ ।

Advertisment

ରାସ୍ତା ଉପରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ , ବଡ ନିର୍ଦ୍ଦେଶ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ୩୦ଟି ଜିଲ୍ଲାର ସିଡିଭିଓ ମାନେ ଏଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୱିଟ କରି, ବୁଲା କୁକୁରଙ୍କ ଉପରେ ସତର୍କ ନଜର ରଖିବା ସହ ରାସ୍ତାରୁ ହଟାଇବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତିି । ତେବେ ଦିନକ ପରେ କଥା ବଦଳାଇଛନ୍ତି ମନ୍ତ୍ରୀ ।

ସୂଚନା ଅନୁସାରେ, ୟୁପି ପରେ ଓଡି଼ଶାରେ ସର୍ବାଧିକ ବୁଲା କୁକୁର ରହିଛନ୍ତିି । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ତଥ୍ୟ ଅନୁସାରେ, ୨୦୧୯ରେ ଓଡିଶାରେ ୧୭ ଲକ୍ଷରୁ ଅଧିକ ବୁଲା କୁକୁର ରହିଥିଲେ । ୨୦୧୨ରେ ବୁଲା କୁକୁର ସଂଖ୍ୟା ୮ଲକ୍ଷ ଥିଲା । ଅର୍ଥାତ ୨୦୧୨ରୁ ୨୦୧୯ ସାତ ବର୍ଷରେ ଦୁଇଗୁଣ ହୋଇଯାଇଥିଲା ବୁଲା କୁକୁର ସଂଖ୍ୟା । ସେହି ଅନୁପାତରେ ବୃଦ୍ଧି ପାଇଥିଲା କୁକୁର କାମୁଡା ସଂଖ୍ୟା । ଯାହା ଏବେ ଆହୁରି ଅଧିକ ବୃଦ୍ଧି ପାଇଥିବାର ଅନୁମାନ କରାଯାଉଛି । କେବଳ ଭୁବନେଶ୍ୱରରେ ୬୦ହଜାରରୁ ଅଧିକ ବୁଲା କୁକୁର ଅଛନ୍ତି । କିନ୍ତୁ କୁକୁରଙ୍କ ବନ୍ଧ୍ୟାକରଣ କରୁଥିବା ସଂସ୍ଥା ଏବିସି, ବନ୍ଧ୍ୟାକରଣରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।

ତେବେ ରାସ୍ତାରୁ ବୁଲା କୁକୁରଙ୍କୁ ହଟାଇବା ପ୍ରସଙ୍ଗରେ, ପଶୁ ପ୍ରେମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପ୍ରଥମେ କୁକୁରଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି । ଏଥିସହ ସୋସିଆଲ ମିଡିଆରେ ‘ସେଭ୍ ଡଗ’ ନାଁରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି । କିଛି ଦିନ ତଳେ ପଟିଆରେ କୁକୁର ଆକ୍ରମଣରେ ଜଣେ ଶିଶୁ ଗୁରୁତର ଆହତ ହୋଇଥିଲା । ଯାହାକୁ ନେଇ ସେତେବେଳେ ବଡ ବିତର୍କ ହୋଇଥିଲା । ବୁଲା କୁକୁରଙ୍କୁ ହଟାଇବା ପାଇଁ ବିଭିନ୍ନ ଆଡୁ ଦାବି ଉଠିଥିଲା ।