କାର ଅପହରଣର ଛାତିଥରା କାହାଣୀ । ଡ୍ରାଇଭର ମୁଣ୍ଡରେ ବନ୍ଧୁକ ରଖି ଇନୋଭା କାରକୁ ହାଇଜାକ୍ କରିନେଲେ ୮ ଡକାୟତ ।

2,363

କନକ ବ୍ୟୁରୋ : ଅତି ଆଶ୍ଚର୍ଯ୍ୟଜନକ ଭାବେ କାର ହାଇଜାକ କରିନେଲେ ଦୁର୍ବୃତ । ବଲାଙ୍ଗିରରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ କହି ଭୁବନେଶ୍ୱରର ଏକ ଟ୍ରାଭେଲ ଏଜେନ୍ସିରୁ ଇନୋଭା କାର ହାୟର କରିଥିଲେ ୮ଜଣ । ହେଲେ ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ରଖି କାରଟିକୁ ବୌଦ୍ଧ ଯାଏଁ ନେଇଯାଇଥିଲେ । କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ କେବଳ କାର ଠାବହେଲା ନାହିଁ, ବରଂ ଧରାପଡିଗଲେ ସମସ୍ତ ୮ଜଣ ଯାକ ଡକାୟତ ।

ଶନିବାର ଭୁବନେଶ୍ୱରର ଏକ ଟ୍ରାଭେଲ ଏଜେନ୍ସିରୁ ବିବାହ ଉତ୍ସବରେ ଯୋଗଦେବାକୁ ବଲାଙ୍ଗୀର ଯାଇଥିବା ଇନୋଭା କାରର ଡ୍ରାଇଭର ଜିତେନ୍ଦ୍ର ନାୟକ କରିଥିଲେ ଗାଡି ମାଲିକକୁ କରିଥିଲେ ଏକ ମେସେଜ୍ । ଗାଡିର ମାଲିକ ରଞ୍ଜୀବ କୁମାର ଗୁରୁଙ୍କୁ ମେସେଜ କରି ସେ ବଡ ବିପଦରେ ପଡି ଯାଇଥିବା ସୂଚନା ଦେଇଥିଲେ । ଏହି ମେସେଜ ଦେଖିବା ପରେ କାର ମାଲିକଙ୍କ ହୋସ ଉଡିଯାଇଥିଲା । କଣ ଚାଲିଛି ସେ କିଛି ବୁଝି ପାରିନଥିଲେ । ଡ୍ରାଇଭର ଯେହେତୁ ଫୋନ ନକରିବାକୁ କହିଥିଲେ, ତେଣୁ କିଛ ବଡଧରଣ ଗଡବଡ ଚାଲିଥିବା ସନ୍ଦେହ କରି ତୁରନ୍ତ ପୋଲିସକୁ ଖବର ଦିଆଗଲା ।

ଏହାପରେ ଆରମ୍ଭ ହୋଇଗଲା ତନାଘନା । ମେସେଜ ଅନୁସାରେ ପ୍ରଥମେ ଜିପିଏସକୁ ଫଲୋ କରିଥିଲା ପୋଲିସ । ସେତେବେଳକୁ ପାଟଣାଗଡ ଅତିକ୍ରମ କରୁଥିଲା କାର । ସଙ୍ଗେସଙ୍ଗେ ବୌଦ୍ଧ ଏସପିଙ୍କୁ ଖବର ଦିଆଗଲା । ଗାଡିକୁ ଠାବ କରିବା ପାଇଁ ଆରମ୍ଭ ହୋଇଗଲା ଅପରେସନ୍ । ପୋଲିସ ବିଭାଗର ବଛା ବଛା ଅଧିକାରୀଙ୍କୁ ଫୋନରେ କନଫରେନସିଂରେ ରଖି ଏହି ଇନୋଭା ଗାଡିକୁ ଫଲୋ କରିବା ଆରମ୍ଭ କରିଦେଲା ପିସିଆର । ଇନୋଭା ଆଗକୁ ଆଗକୁ ଗଡୁଥିଲା ଆଉ ତାକୁ ଫଲୋ କରୁଥିଲା ପିସିଆର ଭ୍ୟାନ ।

ଶେଷରେ ଗାଡିକୁ ଅଟକାଇବା ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ରଣନୀତି । ଗାଡି ଚେକିଂ ବାହାନାରେ ବ୍ୟାରିକେଡିଂ କରିଦେଲେ ଚାରିଛକ ଆଇଆଇସି । ଗାଡି ଅଟକିବା ପରେ କୌଶଳକ୍ରମେ ପ୍ରଥମେ ଡ୍ରାଇଭରଙ୍କୁ ମୁକୁଳାଇ ନେଇଥିଲା ପୋଲିସ । ପରେ ଗାଡିରେ ଥିବା ସମସ୍ତ ଦୁର୍ବୃତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଥିଲା ।

ଡ୍ରାଇଭରଙ୍କ କହିବା ହେଲା ବିବାହ ଉତ୍ସବରେ ଯୋଗଦେବା ବାହାନାରେ କାରଟିକୁ ହାଇଜ୍ୟାକ କରିନେଉଥିଲେ ୮ଜଣ ଡକାୟତ । ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଗାଡି ବୌଦ୍ଧ ଆଡେ ନେଇଯାଇଥିଲେ । ହେଲେ ଚତୁରତାର ସହ ସେ ମୋବାଇଲରୁ ମେସେଜ କରି ଗାଡି ମାଲିକଙ୍କ ପାଖରେ ତାଙ୍କ ବାବଦରେ ସୂଚନା ପହଂଚାଇବାରେ ସମର୍ଥ ହୋଇଗଲେ । ଆଉ ପୋଲିସ କବଜାକୁ ଆସିଗଲେ ଡକାୟତ ଗ୍ୟାଙ୍ଗ । ଭୁବନେଶ୍ୱରରୁ ଗାଡି ଭଡା କରି ନେଇ ଏମାନେ କୌଣସି ଏକ ବଡ ଡକାୟତି ଯୋଜନା କରୁଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।