ଦୁର୍ଦ୍ଦାନ୍ତ ହାଇଦରର ଅପରାଧ ଦୁନିଆର କାହାଣୀ । ବଡ ବଡ ଅଫିସରଙ୍କ ପରିବାରକୁ କରୁଥିଲା ଟାର୍ଗେଟ

520

କନକ ବ୍ୟୁରୋ: ଦୁର୍ଦ୍ଦାନ୍ତ ହାଇଦରର ଅପରାଧ ଦୁନିଆର ଏମିତି କାହାଣୀ ଆମ ହାତରେ ଲାଗିଛି ଯାହା ଆପଣ କେବେ ଜାଣିନଥିବେ ନା ଶୁଣିନଥିବେ । ପୋଲିସ ମହଲରେ ଥିବା କିଛି ସିନିୟର ଆଇପିଏସ ଅଫିସରଙ୍କୁ କେବଳ ଏହି କାହାଣୀ ଜଣା ।

ବଲାଙ୍ଗୀର ଜେଲରେ ଥାଏ ହାଇଦର  । ଜେଲ ଭିତରେ ବାହାରେ ଗୋଟିଏ ପରେ ଗୋଟିଏ ଅପରାଧର ଷଡଯନ୍ତ୍ର ରଚୁଥିଲା ଓ ସଫଳ ବି ହେଉଥିଲା  । କିନ୍ତୁ ଏହି ହାର୍ଡକୋର କ୍ରିମିନାଲର ଅନେକ ଗୁଡିଏ କ୍ରାଇମ ପ୍ଲଟକୁ ଭଣ୍ଡୁର କରିବାକୁ ସକ୍ଷମ ହେଉଥିଲେ ପୋଲିସ ଅଧିକାରୀମାନେ  । ଆଉ ହାଇଦରର ସ୍ୱାର୍ଥରେ ଯେତେବେଳେ ଆଂଚ ଆସୁଥିଲା, ସେତେବେଳେ ସେ କାହାରିକୁ ବି ରାସ୍ତାରୁ ହଠାଇବାକୁ ପଛାଉନଥିଲା । ସିନିୟର ଆଇପିଏସ ଅଫିସରଙ୍କ ପରିବାର ହେଉ ବା କିମ୍ବା ଥାନା ଅଧିକାରୀ  । ଅଫିସରଙ୍କ ପତ୍ନୀ ଓ ପିଲା ଥିଲେ ହାଇଦରର ସଫ୍ଟ ଟାର୍ଗେଟ । ହାଇଦର ଭୟରେ ପୋଲିସ ଅଧିକାରୀଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା ।

ବହୁ ଚର୍ଚ୍ଚିତ ରଶ୍ମୀରଂଜନ ହତ୍ୟାକାଣ୍ଡ ପରେ, ୨୦୦୮ରେ ଜଲେରେ ଥିଲେ ବି କମି ନଥିଲା ହାଇଦରର ଅପରାଧ  । ଜେଲ ଭିତରୁ ରହି ବାହାରେ କ୍ରାଇମ ପ୍ଲଟ ତିଆରି କରୁଥିଲା, ଆଉ ତା ଇସାରାରେ ସବୁ କିଛି ଚାଲୁଥିଲା ।

ବଲାଙ୍ଗୀର ସହରରେ ଥିବା ଜଣେ ହୋଟେଲ ମାଲିକଙ୍କୁ ଅପହରଣ କରି ତାଙ୍କ ପରିବାରଠାରୁ ୫କୋଟି ଟଙ୍କା ଆଦାୟ କରିବା ପାଇଁ ଯୋଜନା ତିଆରି କରିଥିଲା । ସେଥିପାଇଁ ବିହାରରୁ ୯ ଜଣ ଗୁଣ୍ଡା ଆଣି ସେମାନଙ୍କୁ ଆଡଭାନସ ଟଙ୍କା ଦେଇ ସାରିଥିଲା । ହାଇଦରର ଜଣେ ସହଯୋଗୀ କଟକ ମହାନଦୀ ବିହାରରେ ରହି ଏସବୁକୁ ଅପରେଟ୍ କରୁଥିଲା ।

ଅପରାଧୀମାନେ ଅପହରଣ କରିବା ପାଇଁ ବଲାଙ୍ଗୀର ସହର ଭିତରକୁ ପଶି ଯାଇଥିଲେ । ଖବର ପାଇ ବଲାଙ୍ଗୀର ପୋଲିସ ସେମାନଙ୍କୁ ଧରିବା ପାଇଁ ସେମାନଙ୍କ ପିଛା କରିଥିଲା । ତାପରେ ବଲାଙ୍ଗୀର-ପାଟଣାଗଡ ରୋଡରେ ପୋଲିସ ଓ ଅପରାଧୀ ମୁହାଁମୁହିଁ ହୋଇଥିଲେ ।

ହାଇଦରର ବିହାରୀ ଗୁଣ୍ଡା ବଲାଙ୍ଗୀର ଆଇଆଇସି ସମେତ ଚାରି ଜଣଙ୍କ ଉପରକୁ ଗୁଳି ମାଡ କରିଥିଲେ । ହେଲେ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଜଙ୍ଗଲ ଭିତରେ ଗୋଡେଇ ଗୋଡେଇ ୯ଜଣଙ୍କୁ ଏନକାଉଁଟର କରିଥିଲା । ଆଉ ହାଇଦରର ପ୍ଲାନ୍ ଫେଲ ମାରିଥିଲା । ଏହି ରାଗରେ ସେ ପୋଲିସ ଅଧିକାରୀଙ୍କ ପରିବାରକୁ ଟାର୍ଗେଟ କରିଥିଲା ।

ଖାଲି ସେତିକି ନୁହେଁ ହାଇଦରକୁ ଭୁବନେଶ୍ୱର କୋର୍ଟରେ ହାଜର କରିବା ପାଇଁ ଅଣାଯାଇଥିଲା । କୋର୍ଟରେ ହାଜିର କରିବା ପରେ ଯେତେବେଳେ ବଲାଙ୍ଗୀର ଜେଲକୁ ଅଣାଯାଉଥିଲା, ସେହି ସମୟରେୁ ତାର ସହଯୋଗୀମାନେ ହାଇଦରକୁ ପୋଲିସ କଷ୍ଟଡିର ଛଡାଇ ନେବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ ।