କନକ ବ୍ୟୁରୋ : କୁହାଯାଏ କଠିନ ପରିଶ୍ରମ ଏବଂ ଦୃଢ ମନବଳ ମଣିଷକୁ ସଫଳତା ଆଣିଦିଏ । ଆଉ ଏହାକୁ ପ୍ରମାଣିତ କରିଛନ୍ତି ବାଲେଶ୍ୱରର ଝାଡ଼ୁ ବ୍ୟବସାୟୀ ଗୌତମ । ପିଲାଟି ଦିନରୁ ବାପା ମା’ଙ୍କୁ ହରାଇବା ପରେ ଜୀବନ ଯୁଦ୍ଧରେ ହାରିନଯାଇ ସଂଘର୍ଷ କରିଚାଲିଥିଲେ । ଆଉ ଏବେ ନିଜେ ସ୍ୱାବଲମ୍ବୀ ହେବା ସହ ଗାଁର ୨୦ ଜଣଙ୍କୁ ସ୍ୱାବଲମ୍ବୀ କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ..
ଝାଡ଼ୁ.. ସକାଳ ହେଉ କିମ୍ବା ସଂଧ୍ୟା, ଲୋକଙ୍କ ଅତି ଦରକାରୀ ଜିନିଷ । ଘର ସଫା କରିବା କଥା ଚିନ୍ତା କରିବା ମାତ୍ରେ ପ୍ରଥମେ ଝାଡ଼ୁର ଆବଶ୍ୟକତା ପଡ଼ିଥାଏ । ଆଉ ଏହି ବ୍ୟବସାୟକୁ ଆପଣାଇ ସଫଳ ହୋଇଛନ୍ତି ବାଲେଶ୍ୱର ଝିଂଜିପୁର ଗାଁର ଗୌତମ ବେହେରା । ଏହି ବ୍ୟବସାୟରେ ଗାଁର କିଛି ଲୋକଙ୍କୁ ନିୟୋଜିତ କରି ସେମାନଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି ଗୌତମ । ଏହି ବ୍ୟବସାୟରୁ ମାସକୁ ୩୦ରୁ ୪୦ ହଜାର ଟଙ୍କାର ରୋଜଗାର ମିଳିପାରୁଛି । ସେହିପରି ତାଙ୍କ ନିକଟରେ କାମକଚୁଥିବା କର୍ମଚାରୀ ମାନେ ୮ରୁ ୧୦ ହଜାର ଟଙ୍କା ରୋଜଗାର କରି ନିଜର ପରିବାର ପ୍ରତିପୋଷଣ କରିପାରୁଛନ୍ତି ।
ପିଲାଦିନୁ ବାପା ମା’ ଚାଲିଯିବା ପରେ ଭାଇ ଭଉଣୀଙ୍କୁ ନେଇ ସଂଘର୍ଷମୟ ଜୀବନ ଆରମ୍ଭ କରିଥିଲେ ଗୌତମ । ଖେଳକୁଦ ଓ ପାଠପଢା ବୟସରେ ପରିବାରର ବୋଝ ତୁଲାଇବା ପାଇଁ ପାଠ ପଢା ଛାଡ଼ି ଲୋକଙ୍କ ଘରେ ଝାଡ଼ୁ ବାନ୍ଧିବା କାମ ଆରମ୍ଭ କରିଥିଲେ । ପରେ ଏହି ବ୍ୟବସାୟ ବଢିବା ସହ ଅନ୍ୟମାନଙ୍କ ରୋଜଗାରର ମାଧ୍ୟମ ପାଲଟିଛି । ଏଠାରୁ ପ୍ରସ୍ତୁତ ହେଉଥିବା ଝାଡ଼ୁର ଚାହିଦା ସମ୍ବଲପୁର, ସୁନ୍ଦରଗଡ, ବରଗଡ ସମେତ କେରଳ, ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ରହିଛି । ଝାଡ଼ୁ ପ୍ରସ୍ତୁତି ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ କଂଚାମାଲ ଆଣିବାକୁ ପଡ଼ିଥାଏ । ୧୦୦ଟି ଝାଡ଼ୁ ପ୍ରସ୍ତୁତି ପାଇଁ ୨୪ ଶହରୁ ୨୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବ୍ୟବସାୟୀ ଏହାକୁ ୪ ହଜାରରୁ ୪ହଜାର ୫୦୦ ଟଙ୍କାରେ ବିକ୍ରି କରନ୍ତି । ନିଜେ ରୋଜଗାର କରିବା ସହିତ ଅନ୍ୟ ମାନଙ୍କୁ ରୋଜଗାର ଦେଉଥିବାରୁ ବେସ ଖୁସି ପ୍ରକାଶ କରିଛନ୍ତି ଗୌତମ ।