ଜଣେ ପ୍ରେରଣାଦାୟୀ ମହିଳାଙ୍କ କାହାଣୀ: ପରିବାରର ଦାୟିତ୍ୱ ତୁଲାଇବା ସହ ୩ଟି ପଂଚାୟତର ମହିଳାଙ୍କୁ ସ୍ୱାବଲମ୍ବୀ କରାଇଛନ୍ତି ଅସ୍ତରଙ୍ଗ ଅଂଚଳର କଲ୍ୟାଣୀ

112

କନକ ବ୍ୟୁରୋ: ମହିଳାମାନେ ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ବଢ଼ିଲେଣି । ଅନେକ କ୍ଷେତ୍ରରେ ସେମାନେ ପୁରଷଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ହେଉ କି କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କଲେଣି ମହିଳାମାନେ । ତେବେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଖିବା ଅସ୍ତରଙ୍ଗ ଅଂଚଳର ଜଣେ ସ୍ୱାବଲମ୍ବୀ ମହିଳାଙ୍କ କାହାଣୀ ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସରିପୁର ପଂଚାୟତର କଲ୍ୟାଣୀ ସ୍ୱାଇଁ । ଏକ ଯୌଥ ପରିବାର ବୋହୂ ଭାବେ ପରିବାରର ଦାୟିତ୍ୱ ତୁଲାଇବା ସହ ତିନୋଟି ପଂଚାୟତର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇଛନ୍ତି । ସ୍ୱୟଂ ସହାୟକ ଗ୍ରୁପ୍ ମାଧ୍ୟମରେ ମହିଳା ମାନଙ୍କୁ ସାମିଲ କରିଛନ୍ତି । ବ୍ୟାଙ୍କରୁ ରୁଣ ନେଇ ପାନ ଚାଷ, ଚୂଡ଼ା ଭଜା, ମିକ୍ସର, ଜିଆ ଖତ, କତା ରଶି ଓ ପରିବା ଚାଷ ଭଳି ଅନେକ କାମ କରି ମହିଳା ମାନଙ୍କୁ ସ୍ୱବଲମ୍ବୀ ହେବାର ରାସ୍ତା ଦେଖାଇଛନ୍ତି ।

ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ସୀମିତ ନାହାନ୍ତି କଲ୍ୟାଣୀ । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ସେ କାମ କରୁଛନ୍ତି । ପରିବେଶ ସୁରକ୍ଷା ଦିଗରେ ମଧ୍ୟ କାମ କରୁଛନ୍ତି କଲ୍ୟାଣୀ । ମହିଳା ଓ ପରିବେଶ ସୁରକ୍ଷା ଉପରେ କାମ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ହମାରା ବଚପନ’ ନାମକ ଅନୁଷ୍ଠାନରେ ଯୋଗଦେଇ କଲ୍ୟଣୀ ବିଭିନ୍ନ ସାମାଜିକ କାମରେ ନିଜକୁ ସାମିଲ କରିଛନ୍ତି । ପରିବେଶ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ ବୋଲି କୁହନ୍ତି କଲ୍ୟାଣୀ । ମହିଳା ମାନେ କରିଥିବା ପରିବା ଓ ପାନ ଚାଷରେ ଜୈବୀକ ସାର ବ୍ୟବହାର କରିବାକୁ ସେ ପରାମର୍ଶ ଦିଅନ୍ତି । ଆନ୍ତର୍ଜାତୀୟ ମହିଳା ଦିବସରେ କଲ୍ୟାଣୀଙ୍କ ପ୍ରେରଣାଦାୟୀ କାହାଣୀ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛି ।