ସାମ୍ନାକୁ ଆସିଲା ୪ ବାଇକ୍ ଲୁଟେରାଙ୍କ ୪୦ ଲୁଟର କାହାଣୀ। ଦିନରେ ସାଜୁଥିଲେ ଗାଡ଼ି ମେକାନିକ, ସଂଧ୍ୟାରେ ଲୁଟି ନେଉଥିଲେ ବାଇକ୍।

168

କନକ ବ୍ୟୁରୋ: ପ୍ରଥମେ ରାଜଧାନୀର ରାସ୍ତାକଡେ ପାର୍କିଂ ପାଖରେ ବୁଲା ବୁଲି କରି ରେକି କରୁଥିଲେ । ସୁବିଧା ଦେଖି ଆଖି ପିଛୁଳାକେ ବାଇକ, ସ୍କୁଟି ଉଡାଇ ନେଉଥିଲେ । ଭୁବେନଶ୍ୱରର ଜନଗହଳି ପୂର୍ଣ୍ଣ ଅଂଚଳରୁ ବାଇକ ଲୁଟ କରି ଲୋକଙ୍କ ନିଦ ହଜାଇ ଦେଇଥିବା ଅନ୍ତରାଜ୍ୟ ବାଇକ ଲୁଟେରା ଦଳକୁ ବାନ୍ଧିଛି କମିସନରେଟ ପୁଲିସ ।

ବାଇକ ମେକାନିକ ସାଜିଥିଲେ ବାଇକ ଲୁଟେରା । ଦିନରେ ବାଇକ ସଜାଡିବେ, ରେକି କରିବେ । ଆଉ ସନ୍ଧ୍ୟାରେ ନିଜ ଅପରେସନ ମୁତାବକ ବାଇକ ଚୋରି କରିବେ । ବିଶେଷ କରି ଫରେଷ୍ଟ ପାର୍କ, ଆଇଜି ପାର୍କ, ୟୁନିଟ-୧ ହାଟ, ମାର୍କେଟ ବିଲ୍ଡିଂ ଅଂଚଳରୁ ବାଇକ ଚୋରି ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ଆସିଥିଲା । ଆଉ ପୁଲିସ ଖୋଳତାଡ କରି ୪ ବାଇକ ଲୁଟେରାଙ୍କୁ ଗିରଫ କରିଛି । ଏହି ବାଇକ ଲୁଟ ରାକେଟର ସର୍ଦ୍ଦାର ଥିଲା ସାମନ୍ତରାପୁରର ସୁକାନ୍ତ କୁମାର ରେଡି, ଆଉ ତାର ଅନ୍ୟ ତିନି ସହଯୋଗୀ ପଶ୍ଚିମବଙ୍ଗର ।

ବସ୍ତି ଅଂଚଳରେ ରହି ଏହି ୪ ଲୁଟେରା ବାଇକ ଲୁଟ କରୁଥିଲେ । ସାଂଘାତିକ କଥା ହେଉଛି ଚୋରି ବାଇକରେ ଡକାୟତି, ଛିନତାଇ କରୁଥିଲେ ଅଭିଯୁକ୍ତ । ଆଉ ଚୋରି ବାଇକରେ ଅପରାଧ କରିବା ପରେ ପ୍ରମାଣ ନଷ୍ଟ ପାଇଁ ସେହି ବାଇକ, ସ୍କୁଟିକୁ ଖଣ୍ଡ ଖଣ୍ଡ କରି ବିକ୍ରି କରି ଦେଉଥିଲେ । ଗୋଟିଏ ଅଂଚଳରେ ଇଂଜିନ ଓ ଅନ୍ୟ ଅଂଚଳରେ ବାଇକର ଅନ୍ୟ ପାର୍ଟକୁ ବିକ୍ରି କରି ଦେଉଥିଲୋ

ଗିରଫ ପରେ ମୁଖ୍ୟ ଅଭିଯୁକ୍ତ ୪୦ଟି ବାଇକ ଲୁଟ କରିଥିବା ମାନିଛି । ସେମାନଙ୍କ ପାଖରୁ ୧୬ଟି ବାଇକର ଅଂଶ ଜବତ ହୋଇଥିଲା ବେଳେ ୧୮ଟି ବାଇକକୁ ଖଣ୍ଡ ଖଣ୍ଡ କାଟି ବିକ୍ରି କରିଥିବା ପୁଲିସ ଆଗରେ ମାନିଛନ୍ତି ।